କଟକ: ଜଣେ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିବା ଓ ଦୁଷ୍କର୍ମ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ମଙ୍ଗଳବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଜଣେ ଫିଲ୍ଡ ଇନ୍ସପେକ୍ଟରଙ୍କୁ ଗିରଫ କରିଛି । ସେ ହେଲେ ଭୁବନେଶ୍ୱର ଚନ୍ଦକା ଥାନା ସିମୁଳିପାଟଣାର ମନୋରଞ୍ଜନ ଦାଶ ।
ପୁଲିସ୍ ସୂଚନା ଅନୁଯାୟୀ, ମନୋରଞ୍ଜନ ଦୀର୍ଘଦିନ ଧରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ଘରର ପ୍ଲାନ କରାଇଦେବା ଆଳରେ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ । ଏପରିକି ପ୍ଲାନ କରାଇବା ପାଇଁ ଖର୍ଚ୍ଚ ବାବଦରେ ୫ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ । ତେବେ ମନୋରଞ୍ଜନ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ଖିଲାପ ହେବାସହ ସେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚଳାଇଥିବା କୌଣସି ସୂତ୍ରରୁ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ । ଏ ବାବଦରେ ମହିଳା ମନୋରଞ୍ଜନଙ୍କୁ ପଚାରିବାରୁ ତାଙ୍କୁ ବିଭିନ୍ନ ଧମକ ଦେଇଥିଲେ ।
ଶେଷରେ ମହିଳା ଜଣଙ୍କ ଗତ ଫେବ୍ରୁଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୁଲିସର ବାରମ୍ବାର ଚଢ଼ଉ ପରେ ଗିରଫ ଭୟରେ ମନୋରଞ୍ଜନ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମନୋରଞ୍ଜନଙ୍କ ଜାମିନ୍ ଆବେଦନ ଅଗ୍ରାହ୍ୟ ହେବା ସହ ୪ ସପ୍ତାହ ମଧ୍ୟରେ ତାଙ୍କୁ ତଳ କୋର୍ଟରେ ହାଜର ପାଇଁ ଆଦେଶ ଦିଆ ଯାଇଥିଲା । କିନ୍ତୁ ଏହାକୁ ସେ ଏଡ଼ାଇ ଯାଇଥିଲେ । ଫଳରେ ତୁରନ୍ତ ତାଙ୍କୁ ଗିରଫ ପାଇଁ ଲକ୍ଷ୍ମୀସାଗର ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମଙ୍ଗଳବାର ମଧ୍ୟାହ୍ନରେ ସେ ବିଡିଏ କାର୍ଯ୍ୟାଳୟରେ ଥିବା ପୁଲିସ ଜାଣିପାରିଥିଲା । ତଦନ୍ତକାରୀ ଅଧିକାରୀ ରାମାନନ୍ଦ ସାହୁ ଏକ ସ୍ୱତନ୍ତ୍ର ଟିମ୍କୁ ସାଧା ପୋଷାକରେ ନେଇ ବିଡିଏ କାର୍ଯ୍ୟାଳୟରେ ଚଢ଼ଉ କରି ମନୋରଞ୍ଜନଙ୍କୁ ଧରିଥିଲେ ।