ବିହାର: ବିହାରର ଭୋଜପୁରରେ ସ୍ୱାମୀ-ସ୍ତ୍ରୀ ଉପରକୁ ଗୁଳି ଚଳାଇବା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ଘଟଣାରେ ପୋଲିସ ଦୋଷୀ ମାନଙ୍କୁ ଜେରା କରିବା ସମୟରେ ସାମ୍ନାକୁ ଆସିଥିଲା ଏପରି କିଛି ସତ୍ୟ ଯାହା ବିଷୟରେ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ପତ୍ନୀଙ୍କୁ ହତ୍ୟା କରିବା ପାଇଁ ସ୍ୱାମୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର । ପୋଲିସର ଜେରା ସମୟରେ ସ୍ୱାମୀ ସ୍ୱୀକାର କରିଥିଲେ ଯେ, ତାଙ୍କ ସ୍ତ୍ରୀ ସୁନ୍ଦର ନୁହଁନ୍ତି, ତେଣୁ ତାଙ୍କୁ ସେ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ଅଗଷ୍ଟ ୩୧ ତାରିଖ ବୁଧବାର, ଗଜରାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ପାକଡିଆବର ଗ୍ରାମରେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା ।
ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ପୋଲିସଟିମ୍ ଦୁଇ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୁଳିମାଡ଼ରେ ବ୍ୟବହୃତ ଗୋଟିଏ ଦେଶୀ ପିସ୍ତଲ, ମୋବାଇଲ ଏବଂ ମୋଟରସାଇକେଲ ଜବତ କରିଛି ପୋଲିସ । ତେବେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା । ଏହି ଗୁଳି ବିନିମୟରେ ମହିଳାଙ୍କ ସ୍ୱାମୀ ବ୍ୟତୀତ ଅନ୍ୟ କେହି ସମ୍ପୃକ୍ତ ନାହାନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ସ୍ୱାମୀ ଉତ୍କଳ କୁମାର ବିଶ୍ୱକର୍ମା ତାଙ୍କ ପତ୍ନୀ ସନ୍ଧ୍ୟା ଦେବୀଙ୍କୁ ହତ୍ୟା କରିବା ପାଇଁ ୨ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଅନ୍ୟପକ୍ଷେ, ଅପରାଧୀମାନେ ପତ୍ନୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ, କିନ୍ତୁ ଗୁଳି ବିନିମୟରେ ପତ୍ନୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଯାହାଫଳରେ ସୁପାରୀ କିଲର ମାନେ ତାଙ୍କ ଯୋଜନାରେ ସଫଳ ହୋଇପାରି ନଥିଲେ । ଘଟଣାରେ ସେପ୍ଟେମ୍ବର ୨ ତାରିଖ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଭୋଜପୁର ଏସପି ସଞ୍ଜୟ କୁମାର ସିଂ ଏହି ହାଇ ପ୍ରୋଫାଇଲ୍ ହତ୍ୟା ଷଡ଼ଯନ୍ତ୍ରର ଖୁଲାସା କରିଥିଲେ ।