ଭୋପାଳ : ମଧ୍ୟପ୍ରଦେଶ ପୁଲିସର ନିଦ ହଜାଇଥିବା ଜଣେ ସିରିଏଲ କିଲରକୁ ଶୁକ୍ରବାର ଗିରଫ କରାଯାଇଛି । ବିଗତ କିଛିଦିନ ମଧ୍ୟରେ ହତ୍ୟାକାରୀଜଣକ ୪ ଜଣଙ୍କୁ ସମାନ ଢଙ୍ଗରେ ହତ୍ୟା କରି ଶେଷରେ ପୁଲିସ ଜାଲରେ ପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ହେଉଛନ୍ତି ସିକ୍ୟୁରିଟୀ ଗାର୍ଡ । ଘଟଣାସ୍ଥଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଭିଯୁକ୍ତର ମୋବାଇଲ ଫୋନ୍କୁ ଟ୍ରାକିଂ କରି ପୁଲିସ ଶୁକ୍ରବାର ସକାଳେ ଶିବ ପ୍ରସାଦ ନାମକ ଏହି ୧୯ ବର୍ଷୀୟ ହତ୍ୟାକାରୀକୁ ଭୋପାଳରୁ ଗିରଫ କରିଛି ।
କନ୍ନଡ ଚଳଚ୍ଚିତ୍ର ‘କେଜିଏଫ୍’ (କୋଲାର ଗୋଲଡ୍ ଫିଲ୍ଡ) ଦ୍ୱାରା ଅନୁପ୍ରାଣିତ ହୋଇ ଶିବ ପ୍ରସାଦ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଟାର୍ଗେଟ କରିଥିବା ବ୍ୟକ୍ତିଙ୍କ ମୁଣ୍ଡକୁ ଶିବ ହାତୁଡି କିମ୍ବା ପଥରରେ ଛେଚି ହତ୍ୟା କରୁଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ହତ୍ୟା କରିବାପରେ ଶିବ ମୃତକଙ୍କ ପକେଟରୁ ମୋବାଇଲ ଫୋନ ଲୁଟିନେବା ସହ ସିମ୍କାର୍ଡ ଖୋଲି ପଦାରେ ପକାଉଥିଲା ବୋଲି ଜଣାପଡିଛି । ସିକ୍ୟୁରିଟୀ ଗାର୍ଡଙ୍କ ପରେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବାକୁ ଯୋଜନା ରଖିଥିବା ବିଷୟରେ ଶିବ ସ୍ୱୀକାର କରିଛି । ଅଗଷ୍ଟ ୨୮ରେ ଶିବ ପ୍ରଥମେ କଲ୍ୟାଣ ଲୋଧି ନାମକ ବ୍ୟକ୍ତିକୁ ହତ୍ୟା କରିଥିଲା । ୨୯ ରାତିରେ ଶମ୍ଭୁନାରାୟଣ ଦୁବେ ଦ୍ୱିତୀୟ ଶିକାର ପାଲଟିଥିଲେ । ୩୦ରେ ଶିବ ମଙ୍ଗଲ ଅହିରୱାର ନାମକ ବ୍ୟକ୍ତିକୁ ହତ୍ୟା କରିବାପରେ ଗୁରୁବାର ରାତିରେ ସାଗର ଜିଲ୍ଲାରେ ସୋନୁ ବର୍ମା ନାମକ ସିକ୍ୟୁରିଟୀ ଗାର୍ଡକୁ ହତ୍ୟା କରିଥିଲା ।