ରାଞ୍ଚି : ଝାଡ଼ଖଣ୍ଡରେ ରାଜନୈତିକ ହଟଚମଟ ଲାଗିରହିଥିବାବେଳେ ରାଜ୍ୟପାଳ ରମେଶ ବୈଶ୍ ଶୁକ୍ରବାର ଅଚାନକ ଦିଲ୍ଲୀ ଗସ୍ତରେ ଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଚିଠି ଆସିଥିବାବେଳେ ଏହାକୁ କେନ୍ଦ୍ରକରି ରାଜ୍ୟରେ ବ୍ୟାପକ ରାଜନୈତିକ ଛକାପଞ୍ଝା ଜାରି ରହିଛି ।
ଘୋଡାବେପାରକୁ ଭୟ କରି ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ମେଣ୍ଟର ୩୨ ଜଣ ବିଧାୟକଙ୍କୁ ରାୟପୁର ପଠାଇଛନ୍ତି । ତେବେ ଏହି ଚିଠିର ବିଷୟବସ୍ତୁ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନଥିବାରୁ ମେଣ୍ଟ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି । ଏଥିପାଇଁ ଶାସକ ମେଣ୍ଟର କେତେକ ବିଧାୟକ ଗୁରୁବାର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି । ନିର୍ବାଚନ କମିଶନଙ୍କ ଚିଠିକୁ ସାର୍ବଜନୀନ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।