27.1 C
Bhubaneswar
Monday, November 18, 2024
Homeଓଡିଶାଚଢ଼ାଦରରେ ସାର କିଣୁଛନ୍ତି ଚାଷୀ

ଚଢ଼ାଦରରେ ସାର କିଣୁଛନ୍ତି ଚାଷୀ

ଦଶରଥପୁର: ବୈତରଣୀ ଓ ଶାଖା କାଣୀନଦୀ ବନ୍ୟାରେ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ନଦୀ ପାଶ୍ୱର୍ବର୍ତ୍ତୀ ପଞ୍ଚାୟତର ଧାନ ଓ ପନିପରିବା ଚାଷ ଉଜୁଡ଼ି ଯାଇଥିବାବେଳେ ଅବଶିଷ୍ଟ ପଞ୍ଚାୟତରେ ହୋଇଥିବା ଚଳିତବର୍ଷର ଖରିଫ୍ ଧାନଚାଷକୁ ଏବେ ୟୁରିଆ ଓ ଡିଏପି (ଗ୍ରୋମର) ସାରର ସଙ୍କଟ ଦେଖାଦେଇଛି । ସରକାରୀସ୍ତରରେ ସମବାୟ ସମିତି ଜରିଆରେ ରହାତି ଦରରେ ୟୁରିଆ, ସାର ମିଳୁନଥିବାରୁ ଚାଷୀ ବାଧ୍ୟ ହୋଇ ବାହାର ବିକ୍ରେତାଙ୍କଠାରୁ ଚଢ଼ାଦରରେ ସାର କିଣି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ବନ୍ୟା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଚାଷକ୍ଷେତ ଉଜୁଡ଼ିଯିବା ପରେ ୟୁରିଆ ସାରର ଆବଶ୍ୟକତା ଅନେକ ପରିମାଣରେ ହ୍ରାସ ପାଇଛି ।

ସେହିପରି ବେଉଷଣ ପରେ ଲଘୁଚାପଜନିତ ଲଗାଣ ବର୍ଷାରେ ବ୍ଲକ ଅନ୍ତର୍ଗତ ଅରକପଡ଼ା, ଚିତାଳୋ, ଖଣ୍ଡରା, ବିରଜାପୁର, ତଳିହା, ରହାସୋଇ, ବିହାରୀ, ଗ୍ରାମନନ୍ଦିପୁର, ବିରୁହାଁ, ଚଷାଖଣ୍ଡା, ଚମ୍ପେଇପାଳ, ଅସନପୁର, କନିକାପଡ଼ା, କଟିକଟା, ଦଶରଥପୁର, ମଙ୍ଗଳପୁର, ପାଲଯପୁର, ଇଜାପୁର ଆଦି ପଞ୍ଚାୟତରେ ମଧ୍ୟ ଧାନଚାଷ କ୍ଷତ୍ରିଗ୍ରସ୍ତ ହୋଇଥିବା କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଭଳି ସ୍ଥିତିରେ ପାଗ ଅନୁକୂଳ ହେବା ପରେ ରୋଗିଣା ଧାନକ୍ଷେତର ପରିସ୍ଥିତିକୁ ସୁଧାରିବା ପାଇଁ ଚାଷୀ ପ୍ରଚୁର ୟୁରିଆ ସାରର ଆବଶ୍ୟକ କରୁଛି । ଅନ୍ୟପକ୍ଷରେ କୃଷି ସମବାୟ ସମିତିରେ ଆବଶ୍ୟକ ମୁତାବକ ୟୁରିଆ, ଡିଏପି (ଗ୍ରୋମର) ସାର ଉପଲବ୍ଧ ହେଉନଥିବାରୁ ସ୍ଥାନୀୟ ଚାଷୀ ବାହାର ବ୍ୟବସାୟୀଙ୍କଠାରୁ ସାର କିଣିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ଦଶରଥପୁର ବ୍ଲକ କୃଷି ଅଧିକାରୀ ପ୍ରଦୀପ ବେହୁରାଙ୍କୁ ଯୋଗାଯୋଗ କରିବାରୁ, ଚଳିତବର୍ଷ ବ୍ଲକ୍ ଅନ୍ତର୍ଗତ ସମବାୟ ସମିତିରେ ସାର ଉପଲବ୍ଧ ଥିବାବେଳେ ଅତିରିକ୍ତଭାବେ ବ୍ଲକ ଅଞ୍ଚଳରେ ୩ଟି ହୋଲ୍‌ସେଲ୍ ଓ ୪୨ଟି ସ୍ୱୀକୃତିପ୍ରାପ୍ତ ଖୁଚୁରା ବିକ୍ରେତାଙ୍କ ପାଖରେ ମଧ୍ୟ ସାର ଉପଲବ୍ଧ ଅଛି ବୋଲି କହିଥିଲେ । ଅପରପକ୍ଷେ ସମିତି ଜରିଆରେ ଆସୁଥିବା ୟୁରିଆ ଓ ଅନ୍ୟ ସାରକୁ ଚାଷୀ ପସନ୍ଦ କରୁନଥିବାରୁ ଏଭଳି ସମସ୍ୟା ଉପୁଜିଛି । ବ୍ଲକ୍ କୃଷି ବିଭାଗ ଅଥବା ପ୍ରାଥମିକ ସମିତି କର୍ମଚାରୀ ବିଭାଗୀୟସ୍ତରରେ ଉପଲବ୍ଧ ସାର ସମ୍ପର୍କରେ ଚାଷୀମାନଙ୍କୁ ଠିକ୍‌ଭାବେ ସଚେତନ କରିପାରୁନଥିବାରୁ କେତେକ ନିର୍ଦ୍ଦିଷ୍ଟ ୟୁରିଆ ସାର ପଛରେ ପଡ଼ି ଚାଷୀ ଅସୁବିଧାର ସମ୍ମୁଖୀନ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଜଣାପଡ଼ିଛି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ଚାଷୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking