ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ବିଜେପି ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି । କେଜରିୱାଲ୍ କହିଛନ୍ତି, ଦେଶରେ ବିଭିନ୍ନ ରାଜ୍ୟ ସରକାର ଭାଙ୍ଗିବାରେ ପାର୍ଟି ୬୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛି । ନଚେତ୍ କେନ୍ଦ୍ର ସରକାର ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ କରିନଥାନ୍ତେ । ବିଜେପିକୁ ରାଜ୍ୟ ସରକାରଙ୍କ ସିରିୟଲ୍ କିଲ୍ର ଭାବେ କହିବାର ଗୋଟିଏ ଦିନ ପରେ କେଜରିୱାଲ୍ ଏହି ମନ୍ତବ୍ୟ ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟବୃଦ୍ଧି ସହ ଜିଏସ୍ଟିରୁ ସଂଗ୍ରହ କରୁଥିବା ଅର୍ଥରେ ବିଜେପି ବିରୋଧୀ ଦଳ ବିଧାୟକମାନଙ୍କୁ କିଣିବାରେ ବ୍ୟବହାର କରୁଛି ବୋଲି ଶୁକ୍ରବାର ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି କେଜରିୱାଲ୍ ଅଭିଯୋଗ କରିଥିଲେ ।
ଆମ୍ ଆଦମୀ ପାର୍ଟି ସଂଯୋଜକ ଶନିବାର ଆହୁରି ଅଭିଯୋଗ କରିଥିଲେ ଯେ ନାଗରିକମାନେ ମୂଲ୍ୟବୃଦ୍ଧି ବୋଝର ସମ୍ମୁଖୀନ ହେଉଥିବା ବେଳେ ବିଜେପି ଅନ୍ୟ ଦଳର ବିଧାୟକଙ୍କୁ କିଣିବା ସହ ସେମାନଙ୍କ ରାଜ୍ୟ ସରକାର ଭାଙ୍ଗିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ଏକ ଟ୍ୱିଟ୍ କରି ସେ କହିଛନ୍ତି ଦହି, ବଟର୍, ମହୁ, ଅଟା, ଚାଉଳ ଆଦି ଉପରେ ଲଗାଯାଇଥିବା ଜିଏସ୍ଟିରୁ କେନ୍ଦ୍ର ସରକାର ପ୍ରତିବର୍ଷ ୭୫୦୦ କୋଟି ରାଜସ୍ୱ ହାସଲ କରିବେ । ବର୍ତ୍ତମାନ ସୁଦ୍ଧା ସରକାରଙ୍କୁ ଭାଙ୍ଗିବା ବାବଦରେ ବିଜେପି ୬୩୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ଯଦି ସରକାରଗୁଡ଼ିକୁ ଭାଙ୍ଗିନଥାନ୍ତେ ତେବେ ଅଟା, ଚାଉଳ, ବଟର୍ ଆଦି ଉପରେ ଜିଏସ୍ଟି ଲଗାଇନଥାନ୍ତେ ଏବଂ ଲୋକମାନେ ମୂଲ୍ୟବୃଦ୍ଧିର ଶିକାର ହୋଇନଥାନ୍ତେ ବୋଲି କେଜରିୱାଲ୍ ଦାବି କରିଛନ୍ତି ।
ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ସୁପାରିସକ୍ରମେ କଥିତ ଅବକାରୀ ଘୋଟାଲା ମାମଲାରେ ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବା ପରଠାରୁ ଆପ୍ ଏବଂ ବିଜେପି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହି ଘୋଟାଲା ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଅଗଷ୍ଟ ୧୯ ତାରିଖରେ ସିସୋଦିଆଙ୍କ ବାସଭବନ ସମେତ ଦେଶର ୩୦ଟି ସ୍ଥାନରେ ଚଢ଼ଉ କରିଥିଲା । ଅରବିନ୍ଦ କେଜରିୱାଲ୍ଙ୍କ ଲୋକପ୍ରିୟତା ବୃଦ୍ଧିରେ ବିଜେପି ଭୟଭୀତ ହୋଇପଡ଼ି ସିବିଆଇଦ୍ୱାରା ସିସୋଦିଆଙ୍କୁ ମିଥ୍ୟା ମାମଲାରେ ଫସାଇଛି ବୋଲି ଆପ୍ ଅଭିଯୋଗ କରିଥିଲା ।