29.1 C
Bhubaneswar
Saturday, October 5, 2024
Homeଓଡିଶାବଢ଼ୁଛି ଦୁର୍ଦ୍ଦଶା, ଭୋକ ଉପାସରେ ବିପନ୍ନ

ବଢ଼ୁଛି ଦୁର୍ଦ୍ଦଶା, ଭୋକ ଉପାସରେ ବିପନ୍ନ

ବାଲିଆପାଳ: ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ କମିଥିବାବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଆଜି ବି ବହୁ ସ୍ଥାନରେ ବନ୍ୟା ପାଣି ବୁଡ଼ି ରହିଛି । ବହୁ ଗ୍ରାମକୁ ଗମନାଗମନ ସ୍ୱାଭାବିକ ହୋଇନି । ଲୋକଙ୍କ ଘରେ ତିନିଦିନ ହେଲା ଚୂଲି ଜଳିନି । ବହୁସ୍ଥାନରେ ରନ୍ଧା ରିଲିଫ୍ ଖାଦ୍ୟକୁ ଭରସା । ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲିଆପାଳ ବ୍ଲକ୍‌ର କୁଦମାନସିଂହ, ତଳବାଲିଆପାଳ, ସୁଙ୍ଗମୁହଁ, ଆଠବାଟିଆ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ତୁରନ୍ତ ରିଲିଫ ବଣ୍ଟନ ପାଇଁ ବ୍ଲକ୍ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ବିଧାୟକ ଗୋବିନ୍ଦ ପ୍ରସାଦ ଦାସ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶୁଭନା ମହାନ୍ତି, ଶୁଭଙ୍କର ମହାପାତ୍ର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସତ୍ୟଜିତ ମିଶ୍ର, କମଲୋଚନ ଦାସ, ରାଜେଶ ମହାପାତ୍ର, ପ୍ରଦୀପ ପଣ୍ଡା, ଅଜୟ କୁମାର ସାହୁ, ଅରବିନ୍ଦ ବେହେରା, ମହେଶ୍ୱର ଜେନା,ବିକାଶ ଗିରି,କ୍ଷୀତିଶ କୁମାର ଜେନା ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।

ସୁବର୍ଣ୍ଣରେଖା ବନ୍ୟାର ତୃତୀୟ ଦିନରେ ଆଜି ବି ଚୌଧୁରୀକୁଦ ରାସ୍ତା ଉପରେ ୩ ଫୁଟ୍ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ବାଲିଆପାଳ ଠାରୁ ବିଷ୍ଣୁପୁର, ଜାମକୁଣ୍ଡା ଠାରୁ ନୟାବାଲି, କୁହ୍ଲାଚଡ଼ ଠାରୁ ଜାମକୁଣ୍ଡା, ତାଳପଦା ରାସ୍ତା ଉପରେ ବନ୍ୟା ପାଣି ଢେଉ ଖେଳୁଛି । ବିଷ୍ଣୁପୁର ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରେ ଆଜି ବି ବନ୍ୟା ପାଣି ବୁଡ଼ି ରହିଛି । ଏହି ପଞ୍ଚାୟତର ୩ ହଜାରରୁ ଅଧିକ ଘର କ୍ଷତି ଘଟିଛି । ସେହିପରି ଜାମକୁଣ୍ଡା ପଞ୍ଚାୟତର ତାଳପଦା, କୁହ୍ଲାଚଡ଼, ଲଖପାଳ ଗ୍ରାମର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ । ସବୁଠି ଚାଷ ଜମିରେ ବନ୍ୟା ପାଣି ବୁଡ଼ି ରହିଛି । ଧାନ ଚାଷ ସହିତ ପନିପରିବା ଚାଷ ସମୂଳେ ନଷ୍ଟ ହୋଇଯାଇଛି । ସବୁ ଜାଗାରେ ରନ୍ଧା ଖାଦ୍ୟ ଠିକ୍ ଭାବେ ମିଳିପାରୁନାହିଁ । ଶିଶୁ, ମହିଳା, ବୃଦ୍ଧବୃଦ୍ଧା ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି । ଜିଲ୍ଲାପାଳ ଟିମ୍ ଗଠନ କରି ବନ୍ୟା ମୁକାବିଲା କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଡିଓ ଦୀପକ କୁମାର ଦାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking