ନୂଆଦିଲ୍ଲୀ : ମଜବୁତ ହେବ ଭାରତୀୟ ସେନା । ଖୁବଶୀଘ୍ର ସୁରକ୍ଷାକର୍ମୀଙ୍କୁ ମିଳିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଅପରେସନ ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ସେନା ନିଜେ ଚାହିଁଲେ ଯେ କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ଉପକରଣ କିଣିପାରିବେ । ଅର୍ଥାତ ଏଥିପାଇଁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡିବ ନାହିଁ । ସୁରକ୍ଷାକର୍ମୀ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଅସ୍ତ୍ରଶସ୍ତ୍ର କିଣିପାରିବେ । ଏହା ହେଲେ ସୁରକ୍ଷାବଳ ଫାଷ୍ଟ ଟ୍ରାକ୍ ରୁଟ ଜରିଆରେ ସିଧାସଳଖ ଏବଂ ଖୁବ କମ ସମୟ ମଧ୍ୟରେ ଉପକରଣ ମଗାଇପାରିବେ ।
ପାକିସ୍ତାନ ବିରୁଦ୍ଧରେ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପ୍ରଥମ ଥର ପାଇଁ ସୁରକ୍ଷା ବଳକୁ ଏହି ଶକ୍ତି ଦିଆଯାଇଥିଲା । ଯାହାକି ୨୦୨୦ରେ ଚୀନ ସହ ହୋଇଥିବା ସୈନ୍ୟ ଗତିରୋଧକୁ ସାମ୍ନା କରିବାରେ ସାହାଯ୍ୟ କରିଥିଲା । ତେବେ ଆସନ୍ତା ସପ୍ତାହରେ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ବଳର ଜରୁରୀକାଳୀନ ଅଧିଗ୍ରହଣ ଅଧିକାର ଦେବାକୁ ନେଇ ଚର୍ଚ୍ଚା ହୋଇପାରେ ।ସୂଚନାଯୋଗ୍ୟ ଭାରତର ଏମର୍ଜିନ୍ସି ପାଓ୍ବାର, ସେନା ବାହିନୀକୁ ବିଭିନ୍ନ ଜରୁରୀକାଳୀନ ସ୍ଥିତିରେ ପ୍ରସ୍ତୁତ ରହିବାକୁ ଅସ୍ତ୍ରଶସ୍ତ୍ର ଓ ଉପକରଣ କିଣିବାକୁ ମଞ୍ଜୁରୀ ଦେଇଥାଏ । ଗତ ଥର ହୋଇଥିବା ବୈଠକରେ ସେନାକୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଉପକରଣ କିଣିବା ପାଇଁ ଅନୁମତି ଥିଲା । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମତି ନେବାକୁ ପଡିନଥାଏ