ନୂଆଦିଲ୍ଲୀ: ବିଶାଖାପାଟଣା ନିକଟରେ ଥିବା ଏକ ପୋଷାକ ଉତ୍ପାଦନ କାରଖାନାରେ ବଡ଼ ଧରଣର ଅଘଟଣ ଘଟିଛି । କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଶତାଧିକ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ସମସ୍ତ ଅସୁସ୍ଥ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଘଟଣା ବିଶାଖାପାଟଣା ନିକଟସ୍ଥ ଅଚ୍ୟୁତପୁର ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଘଟଇଥିବା ବେଳେ କେଉଁ କାରଣରୁ ଏପରି ଗ୍ୟାସ୍ ଲିକ୍ ହେଲା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।