27.1 C
Bhubaneswar
Saturday, November 16, 2024
Homeଓଡିଶା୨ ଲକ୍ଷ କୋଟିର ବ୍ୟୟମଞ୍ଜରୀ ବିଲ୍ ପାରିତ: ଟ୍ରେଜେରୀକୁ ମିଳିଲା ଚାବିକାଠି

୨ ଲକ୍ଷ କୋଟିର ବ୍ୟୟମଞ୍ଜରୀ ବିଲ୍ ପାରିତ: ଟ୍ରେଜେରୀକୁ ମିଳିଲା ଚାବିକାଠି

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଶନିବାର ଆଗତ କରିଥିବା ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ଟ୍ରେଜେରୀକୁ ମିଳିଛି ଚାବିକାଠି । ତେବେ ରାଜ୍ୟ ସରକାର ବଜେଟ୍‌ରେ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ଜୀବନ ଓ ଜୀବିକାର ସୁରକ୍ଷା, ଲୋକଙ୍କ ଜୀବନଧାରଣର ମାନ ବଜାୟ ରଖିବା, ଭିତ୍ତିଭୂମି ବିକାଶ ଏବଂ ପୂଞ୍ଜି ବିବେଶ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । ହେଲେ ବିରୋଧୀ ସଭ୍ୟମାନେ ଏଥିରେ ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କରିଥିଲେ । ଶନିବାର ବ୍ୟୟ ମଞ୍ଜୁରୀ ବିଲ୍‌କୁ ଗୃହର ଅନୁମୋଦନ ପାଇଁ ସଭ୍ୟମାନଙ୍କୁ ନିବେଦନ କରିଥିଲେ । ସେ କହିଥିଲେ,ଚଳିତ ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକର ପ୍ରଥମ ଦିନ ଅର୍ଥାତ ଜୁଲାଇ ୨ରେ ସେ ୨୦୨୨-୨୩ ଆର୍ଥିର୍କ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତାବ ଆଗତ କରିଥିଲେ ।

ଉକ୍ତ ବଜେଟ୍ ଆକାର ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭.୬% ବୃଦ୍ଧିପାଇଛି । ଚଳିତ ଆର୍ଥିକ ବର୍ଷରେ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ଅଭିବୃଦ୍ଧି ହାର ୮ରୁ ୮.୫% ରହିବା ସହ ରାଜସ୍ୱ ବଳକା ଜିଏସ୍‌ଡିପିର ୨.୫% ଓ ବିତ୍ତୀୟ ନିଅଣ୍ଟ ୩% ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି । ଅର୍ଥମନ୍ତ୍ରୀ କହିଥିଲେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ କୋଟି ଟଙ୍କା ବଜେଟ୍ ଅଟକଳ ମଧ୍ୟରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୮୯ ହଜାର ୫ଶହ ୯୦ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ୧ ଲକ୍ଷ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ପାଣ୍ଠି ନିମନ୍ତେ ୩ ହଜାର ୨ଶହ ୧୦ କୋଟି ଟଙ୍କା ଏବଂ ରାଜ୍ୟରୁ ସ୍ଥାନୀୟ ସଂସ୍ଥାମାନଙ୍କୁ ହସ୍ତାନ୍ତର ପାଇଁ ୭୨୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ୍ କାର୍ଯ୍ୟକ୍ରମ ବ୍ୟୟ ୧ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି । ତାହା ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୩୩% ଅଧିକ । ପୁଞ୍ଜି ବ୍ୟୟ ବାବଦକୁ ୩୮ ହଜାର ୭ଶହ ୩୨ କୋଟି ଟଙ୍କା ଅଟକଳ ହୋଇଛି ।

ତାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୫% । ଚଳିତ ଆର୍ଥିକ ବର୍ଷରେ ଏହି ବାବଦକୁ ଥିବା ଆବଣ୍ଟନ ବିଗତ ବର୍ଷଠାରୁ ୫୬% ଅଧିକ । ଅର୍ଥମନ୍ତ୍ରୀ କହିଥିଲେ, ବଜେଟ୍‌ରେ ଅନେକଗୁଡ଼ିଏ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି । ବିଗତ ବର୍ଷ ପରି ଏବର୍ଷ ମଧ୍ୟ ଏଥର ଆମେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌କୁ ନ୍ୟାସନାଲ ‘ଇ-ବିଧାନ ଆପ୍ଲିକେଶନ’ ବା ନେଭା ଜରିଆରେ ସମ୍ପୂର୍ଣ୍ଣ ଇଲୋକଟ୍ରୋନିକ୍ସ୍ ମାଧ୍ୟମରେ ଉପସ୍ଥାପନ କରିଅଛୁ । ଏହି ବଜେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଓ ‘ମୋ ସରକାର’ର ସଫଳ ରୂପାୟନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ହୋଇଛି । ସେହିପରି ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ୭,୧୬୨ କୋଟି ଟଙ୍କା ବ୍ୟୟ ଅଟକଳର ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ କରିଥିଲୁ । ଆମ ସରକାର ସମୃଦ୍ଧି-କୃଷି ନୀତି ୨୦୨୦ ଦ୍ୱାରା ବିଭିନ୍ନ ପଦକ୍ଷେପ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସେହିପରି ମିଶନ ଶକ୍ତି ଅଭିଯାନ ମାଧ୍ୟମରେ ଆମ ସରକାର ମହିଳା ଶସକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

ମହିଳା ଶସକ୍ତିକରଣରେ ମିଶନ ଶକ୍ତି କାର୍ଯ୍ୟକ୍ରମର ପ୍ରମୁଖ ଭୂମିକାକୁ ସ୍ୱୀକୃତି ସ୍ୱରୁପ ସମସ୍ତ ଏସ୍‌ଏଚ୍‌ଜି କୈନ୍ଦିକ ସରକାରୀ ଯୋଜନା ମଧ୍ୟରେ ସମନ୍ୱୟ ଆଣିବା ପାଇଁ ରାଜ୍ୟ ସରକାର ଏକ ସ୍ୱତିନ୍ତ୍ର ମିଶନ ଶକ୍ତି ବିଭାଗ ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କର ସଂଘକୁ ମିଶନ ଶକ୍ତି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ପାଇଁ ୭୭୩ କୋଟି ଟଙ୍କା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଗୃହ ନିର୍ମାଣ ଲାଗି ୧୭୬ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି । ଅର୍ଥମନ୍ତ୍ରୀ ପୁଣି କହିଥିଲେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ୍ ନିମନ୍ତେ ୨୧,୧୬୬ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି । ଶିକ୍ଷା ଓ ଦକ୍ଷଦତା ବିକାଶ କ୍ଷେତ୍ର ପାଇଁ ମୋଟ୍ ୨୭, ୩୨୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ମୋ ସ୍କୁଲ୍ ଅଭିଯାନ ଅଧୀନରେ ୬୪୬ କୋଟି, ମନୋନୀତ ୧୦୦ଟି ଉତ୍କର୍ଷ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ରୁମ୍ ପାଇଁ ୭୯ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି ଟଙ୍କା ଏବଂ ସମଗ୍ର ଶିକ୍ଷା ଅଧୀନରେ ୩, ୫୮୧ କୋଟି ଯଙ୍କା ପ୍ରଦାନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ବରାଦ ଅଟକଳ ୩୮,୭୩୨ କୋଟି ଟଙ୍କା ରହିଛି ।

ତାହା ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦର ୫.୪% । ଅତିରିକ୍ତ ଭାବେ ଋଣ ଓ ଅଗ୍ରୀମ, ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ଅନୁଦାନ ଓ ଅନ୍ୟାନ୍ୟ ପୁଞ୍ଜି ସୃଷ୍ଟି ପାଇଁ ଖର୍ଚ୍ଚକୁ ମିଶାଇ ମୋଟ୍ ୧୧,୯୩୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧.୭% । ଏହିପରିଭାବେ ପୁଞ୍ଜି ସମ୍ପତ୍ତି ସୃଷ୍ଟି ଲାଗି ମୋଟ୍ ନିବେଶର ପରିମାଣ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ପ୍ରାୟ ୭.୧% । ତାହା ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ମନ୍ତ୍ରୀ କହିଥିଲେ, ନିୟମାନୁସାରେ ଋଣଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ୨୫% ମଧ୍ୟରେ ସୀମିତ ରହିବା ଆବଶ୍ୟକ । ସେହିପରି ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୧୫% ମଧ୍ୟରେ ରଖିବା ଆବଶ୍ୟକ । ମହାଲେଖାକାରଙ୍କ ଠାରୁ ମିଳିଥିବା ପ୍ରାକ୍ ବାସ୍ତବିକ୍ ହିସାବ ଅନୁଯାୟୀ ବର୍ଷ ୨୦୨୧-୨୨ ଶେଷରେ ରାଜ୍ୟରେ ଡେବ୍‌ଟ ଜିଡିପିଏସ୍ ୧୫.୨% ରହିଛି ଏବଂ ଆଇପି, ଆର୍‌ଆର୍ ରେସିଓ ୪.୧୪%ରେ ସୀମିତ ରହିଛି । ଏହା ବ୍ୟତୀତ ୨୦୦୫-୦୬ ବର୍ଷ ଠାରୁ କ୍ରମାଗତ ଭାବରେ ରାଜସ୍ୱ ବଳକା ସ୍ଥିତି ବଜାୟ ରଖିଅଛୁ । ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହ୍ୟତ ହେଉଅଛି । ଆହୁରି ମଧ୍ୟ ଋଣ ସମ୍ବନ୍ଧରେ ରାଜ୍ୟର ସ୍ଥିତି ଭଲ ରହିଛି ।

ଉତ୍ତମ ଆର୍ଥିକ ଓ ସଠିକ୍ ବିତ୍ତୀୟ ପରିଚାଳନା ଆମ ସରକାରର ପରିଚୟ । ୨୦୨୨-୨୩ ଆର୍ଥିକ ବର୍ଷର ମୋଟ୍ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୬୩ ହଜାର ୯ଶହ ୬୭ କୋଟି ଟଙ୍କା ଏବଂ ରାଜସ୍ୱ ବ୍ୟୟ ୧ଲକ୍ଷ ୪୫,୭୨୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜସ୍ୱ ବଳକା ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦର ୨.୫% ହେବ । ବିତ୍ତୀୟ ନିଅଣ୍ଟ ୩%ରେ ସୀମିତ ରହିବ । ବର୍ଷ ଶେଷର ଋଣ ଭାର ସାଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୫.୬% ହେବାର ଆକଳନ କରାଯାଇଛି । ସେଥିପାଇଁ ରାଜ୍ୟର ଆର୍ଥିକ ପରିଚାଳନାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆର୍‌ବିଆଇ) ଏବଂ ଆନ୍ତର୍ଜତୀୟ ମୁଦ୍ରା ପାଣ୍ଠି ଏବଂ ପଞ୍ଚଦଶ ଅର୍ଥ କମିଶନ ଭୂୟଶୀ ପ୍ରଶଂସା କରିଛନ୍ତି । ଏହି ସମସ୍ତ ପ୍ରକ୍ରିୟାକୁ ସମଗ୍ର ଦେଶରେ ବେଷ୍ଟ ପ୍ରାଟିସ୍ ଏବଂ ସୁଶାସାନ ପଦକ୍ଷେପ ଭାବେ ସ୍ୱୀକୃତି ମିଳିଛି । ତେଣୁ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ପାଇଁ ଉପସ୍ଥାପିତ ବ୍ୟୟ ମଞ୍ଜୁରୀ ବିଧେୟକକୁ ଏହି ଗୃହର ଅନୁମୋଦନ ମିଳିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ଅର୍ଥ ବ୍ୟୟ ହୋଇପାରିବ । ତେଣୁ ଗୃହର ସମସ୍ତ ସଦସ୍ୟଙ୍କୁ ବ୍ୟୟମଞ୍ଜୁରୀ ବିଧେୟକଙ୍କୁ ପାରିତ ପାଇଁ ଅନୁରୋଧ କରୁଛି ବୋଲି ଅର୍ଥମନ୍ତ୍ରୀ ନିବେଦନ କରିଥିଲେ । ହେଲେ ଏହାକୁ ବିରୋଧ କରି ବିରୋଧୀ ସଦସ୍ୟ କକ୍ଷତ୍ୟା କରିଥିଲେ । ଶେଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚନିକ ଭୋଟ୍‌ରେ ବିଧେୟକଟିକୁ ପାରିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking