17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ୍ ପଲିସିର ସିବିଆଇ ତଦନ୍ତ ନିର୍ଦ୍ଦେଶ

ଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ୍ ପଲିସିର ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ବିକେ ସାକ୍ସେନା ଶୁକ୍ରବାର ଅରବିନ୍ଦ କେଜରିୱାଲ୍ ସରକାରଙ୍କ ନୂଆ ଏକ୍ସାଇଜ୍ ନୀତିର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଏକ୍ସାଇଜ୍ ପଲିସି ଉପରେ ମୁଖ୍ୟ ସଚିବ ନରେଶ କୁମାର ଦେଇଥିବା ରିପୋର୍ଟରେ ଅନିୟମିତତା ଥିବା ଜଣାପଡ଼ିବା ପରେ ଉପରାଜ୍ୟପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ରିପୋର୍ଟ ସିଧା ଭାବେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମ ନିଆଯାଇଛି । ନୂଆ ନୀତି ମାଧ୍ୟମରେ ସେ ମଦ ଲାଇସେନ୍ସଧାରୀଙ୍କୁ ଲାଭ ପ୍ରଦାନ କରଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ମୁଖ୍ୟ ସଚିବଙ୍କ ରିପୋର୍ଟରେ ଜିଏନ୍‌ସିଟିଡି ଅଧିନିୟମ ୧୯୯୧, ବାଣିଜ୍ୟ ନିୟମର ନେଣଦେଶ (ଟିଓବିଆର୍‌) ୧୯୯୩, ଦିଲ୍ଲୀ ଉତ୍ପାଦ ଶୁଳ୍କ ଅଧିନିୟମ ୨୦୦୯ ଏବଂ ଦିଲ୍ଲୀ ଉତ୍ପାଦ ଶୁଳ୍କ ୨୦୧୦ର ଉଲ୍ଲଂଘନ ହୋଇଥିବା ଦର୍ଶାଯାଇଛି । ସେହିପରି ମଦ ମାଫିଆଙ୍କ ପ୍ରତି ଏହି ଅନୁଗ୍ରହ ଯୋଗୁଁ ରାଜକୋଷର ଭାରୀ କ୍ଷତି ହୋଇଛି ।

ଅନ୍ୟପକ୍ଷରେ ଆମ୍ ଆଦ୍‌ମି ପାର୍ଟି ବିରୋଧରେ ଆସିଥିବା ଅଭିଯୋଗ ପରେ ବିଜେପି ନେତ୍ରୀ ମୀନାକ୍ଷି ଲେଖି ଏକ ପ୍ରେସ୍ କନ୍‌ଫରେନ୍ସ କରି ୨୦୨୨ ଜୁଲାଇ ୧୪ରେ ବିନା କ୍ୟାବିନେଟ୍ ନୋଟ୍ ଏବଂ ଅବକାରୀ ନୀତିର ପାଳନ ନକରି ମଦ ଟେଣ୍ଡର୍‌ରେ ୧୪୪. ୩୬ ଲକ୍ଷ ଟଙ୍କା ରିହାତି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଜାଣିଶୁଣି କରାଯାଇଥିବା ଭୁଲ ଯୋଗୁଁ ସିସୋସିଆଙ୍କ ଭୂମିକା ତଦନ୍ତ ପରିସରଭୁକ୍ତ ହୋଇଛି ବୋଲି ଉପରାଜ୍ୟପାଳଙ୍କ ଅଫିସ୍ ସୂତ୍ରରୁ କୁହାଯାଇଛି । ସିସୋସିଆ ୨୦୨୧-୨୦୨୨ ବର୍ଷ ପାଇଁ ମଦ ଲାଇସେନ୍ସଧାରୀଙ୍କୁ ଟେଣ୍ଡର୍‌ରେ ଅବୈଧ ଭାବେ ୧୪୪ କୋଟି ଲାଭ ପହଞ୍ଚାଇଛନ୍ତି । ସିସୋସିଆଙ୍କ ନିଷ୍ପତ୍ତି ଅବକାରୀ ଦୀନିତର ବୈଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରିଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫ ପରେ ସିସୋଦିଆଙ୍କ ପାଖରେ ୧୯ ବିଭାଗର ଦାୟିତ୍ୱ ରହିଛି । କୋଭିଡ୍ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେଜରିୱାଲ୍ ଏହି ଅବକାରୀ ନୀତି ଜାରି କରିଥିଲେ ।

ଏହି ପଦକ୍ଷେପ ଘରୋଇ ମଦ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଉଠାଯାଇଥିବା ଅଭିଯୋଗ ହୋଇଥିଲା । ଏଥିରୁ ମିଳିଥିବା ଅର୍ଥ ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଉପରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶ ପରେ ଆପ୍ ନେତା ସୌରଭ ଭରଦ୍ୱାଜ କହିଥିଲେ, ଦେଶରେ କେଜରିୱାଲ୍‌ଙ୍କ ଖ୍ୟାତି ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସରକାର ଭୟଭୀତ ହୋଇ ଉପରାଜ୍ୟପାଳଙ୍କ ମାଧ୍ୟମରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଏକ ଭିଡିଓ ଜାରି କରି ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହ ସିସୋଦିଆଙ୍କୁ ଜଣେ ସଚ୍ଚୋଟ ଏବଂ ଦେଶଭକ୍ତ ଭାବେ ଦର୍ଶାଇଛନ୍ତି । ଭିଡିଓରେ ସେ ଆହୁରି କହିଛନ୍ତି ଜେଲ୍ ଦଣ୍ଡ ପାଇଁ ଆମେ ଭୟଭୀତ ନୋହୁଁ । ବିଜେପିକୁ ଉଦ୍ଦେଶ୍ୟକରି କେଜରିୱାଲ୍ କହିଛନ୍ତି ‘ତମେ ସାବରକରଙ୍କ ସମର୍ଥକ ହେଲେ ଆମେ ଭଗତସିଂହଙ୍କ ସମର୍ଥକ ।’ ସୂଚନାଯୋଗ୍ୟ, ଉପରାଜ୍ୟପାଳ ବିକେ ସାକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ସିଙ୍ଗାପୁର ଗସ୍ତକୁ ଅନୁମତି ଦେବାକୁ ମନା କରିଦେଇଥିଲେ । ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ନିଶ୍ଚିତ ଭାବେ ସିଙ୍ଗାପୁର ଯିବି । ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking