19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶକୋର୍ଟରେ ଚିହ୍ନଟକଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନ୍ୟା: ୟାସିନ୍ ମଲିକ୍ ହିଁ ରୁବିୟାଙ୍କ ଅପହର୍ତ୍ତା

କୋର୍ଟରେ ଚିହ୍ନଟକଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନ୍ୟା: ୟାସିନ୍ ମଲିକ୍ ହିଁ ରୁବିୟାଙ୍କ ଅପହର୍ତ୍ତା

ଶ୍ରୀନଗର: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟିଦ୍‌ଙ୍କ କନ୍ୟା ରୁବିୟା ସୟିଦ୍‌ଙ୍କ ଅପହରଣ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ୍ କରିଥିଲା । ଶୁକ୍ରବାର ରୁବିୟା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ଅପହରଣ କରିଥିବା ୟାସିନ୍ ମଲିକ୍ ଏବଂ ଅନ୍ୟ ତିନିଜଣ ଆତଙ୍କବାଦୀଙ୍କ ଫଟୋ ଚିହ୍ନଟ କରିଛନ୍ତି । ଏହି ମାମଲାରେ ହାଜର ହେବାକୁ ରୁବିୟାଙ୍କୁ ନୋଟିସ୍ ପଠାଯିବା ଏହା ପ୍ରଥମ ଘଟଣା। ରୁବିୟା ଏବେ ତାମିଲନାଡ଼ୁରେ ବସବାସ କରୁଛନ୍ତି । ୧୯୮୯ ଡିସେମ୍ବର ୮ ତାରିଖରେ ଏକ ଟ୍ରାନ୍‌ଜିଟ୍ ଭ୍ୟାନ୍‌ରେ ହସ୍ପିଟାଲ୍‌ରୁ ନିଜ ଘର ନୌଗାମ ଯାଉଥିବା ବେଳେ ଲାଲ୍‌ଚୌକଠାରେ ତିନିଜଣ ବ୍ୟକ୍ତି ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରିନେଇଥିଲେ । ତାଙ୍କ ମୁକ୍ତି ବଦଳରେ ସରକାରଙ୍କୁ ୫ଜଣ ଜେକେଏଲ୍‌ଏଫ୍ ଆତଙ୍କବାଦୀଙ୍କୁ ଛାଡ଼ିବାକୁ ପଡ଼ିଥିଲା ।

ସେତେବେଳେ ରୁବିୟାଙ୍କ ପିତା ମୁଫ୍‌ତି ମହମ୍ମଦ ସୟିଦ୍ ଭାରତର ଗୃହମନ୍ତ୍ରୀ ଥିଲେ । ସେହିଦିନ ଶ୍ରୀନଗର ସଦର ଥାନାରେ ଏହି ମାମଲାରେ ଏଫ୍‌ଆଇଆର୍ ହୋଇଥିବା ବେଳେ ୧୯୯୦ ପ୍ରାରମ୍ଭରେ ସିବିଆଇ ଏହି ମାମଲାର ତଦନ୍ତ ଭାର ହାତକୁ ନେଇଥିଲା । ରୁବିୟାଙ୍କ ଓକିଲ ଅନୀଲ୍ ସେଟ୍ଟୀ କହିଛନ୍ତି, ରୁବିୟା ସିବିଆଇକୁ ପ୍ରଥମେ ଦେଇଥିବା ବୟାନରେ କାଏମ ଅଛନ୍ତି । ସିବିଆଇ ତଦନ୍ତ ସମୟରେ ଉପଲବ୍ଧ କରାଯାଇଥିବା ଫଟୋ ଆଧାରରେ ୟାସିନ୍ ମଲିକ୍ ଓ ଅନ୍ୟ ତିନିଜଣଙ୍କୁ ଚିହ୍ନଟ କରିଛନ୍ତି । ଅପହରଣର ୩୧ ବର୍ଷରୁ ଅଧିକ ସମୟ ପରେ ଗତବର୍ଷ ଜାନୁଆରୀରେ ଅଦାଲତ ମଲିକ ଏବଂ ଅନ୍ୟ ନଅଜଣଙ୍କ ବିରୋଧରେ ଅଭିଯୋଗ ସ୍ଥିର କରିଥିଲେ । ମାମଲାର ଶୁଣାଣି ତାରିଖ ଅଗଷ୍ଟ ୨୩କୁ ସ୍ଥିର କରାଯାଇଛି । ପରବର୍ତ୍ତୀ ତାରିଖରେ ରୁବିୟା ମଧ୍ୟ ଉପସ୍ଥିତ ରହିବେ ବୋଲି ତାଙ୍କ ଓକିଲ କହିଛନ୍ତି । କ୍ରସ୍ ଏକଜାମିନେସନ୍ ପାଇଁ ବ୍ୟକ୍ତିଗତ ଭାବେ ଜମ୍ମୁ ନେବାକୁ ୟାସିନ୍ ମଲିକ୍ ଦାବି କରିଛି । ତେବେ ତାକୁ ଜମ୍ମୁ ନିଆଯିବ କି ନାହିଁ ଏହା ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking