29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଚାକିରି କରିବାରୁ ମହିଳାଙ୍କୁ କେହି ରୋକିପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଚାକିରି କରିବାରୁ ମହିଳାଙ୍କୁ କେହି ରୋକିପାରିବେ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: କର୍ମକ୍ଷେତ୍ରରୁ ଅଥବା ଚାକିରି କରିବାରୁ ମହିଳାଙ୍କୁ କେହି ରୋକିପାରିବେ ନାହିଁ । ଜଣେ ମହିଳାଙ୍କୁ ନିଜର ସନ୍ତାନ ଓ କ୍ୟାରିୟର ମଧ୍ୟରୁ କାହାକୁ ଗୋଟିଏ ବାଛିବା ପାଇଁ କହିବା ଅନ୍ୟାୟ ଅଟେ । ଏକ ଛାଡପତ୍ର ଆବେଦନର ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ସୂଚନା ଅନୁଯାୟୀ, ଜଣେ ମହିଳା ପୁଣେ ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ । ଫ୍ୟାମିଲ କୋର୍ଟ ଏହାକୁ ଖାରଜ କରିବା ପରେ ମହିଳା ଜଣକ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ଏହି ମାମଲାରେ ହାଇକୋର୍ଟ ଆବେଦନକାରୀ ମହିଳାଙ୍କୁ ଆଶ୍ୱସ୍ତି ପ୍ରଦାନ କରି ଏପରି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଶୁଣାଇଛନ୍ତି । କୋର୍ଟ ମହିଳାଙ୍କୁ ଛାଡପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜ ଝିଅକୁ ନେଇ ପୋଲାଣ୍ଡରେ ଚାକିରି କରିବାକୁ ଅନୁମତି ଦେଇଛନ୍ତି। ଘଟଣାକ୍ରମ ଅନୁଯାୟୀ, ଆବେଦନକାରୀ ମହିଳା ଜଣେ ଇଞ୍ଜିନିୟର ଅଟନ୍ତି । ୨୦୧୦ରେ ସେ ବିବାହ କରିଥିଲେ ।

ବିବାହର କିଛି ଦିନ ପରେ ଦାମ୍ପତ୍ୟ ଜୀବନରେ ବିବାଦ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ସେ ନିଜ ଝିଅକୁ ନେଇ ଅନ୍ୟତ୍ର ରହିବା ସହ ଛାଡପତ୍ର ପାଇଁ ଆବେଦନ କରିଥିଲେ । ୨୦୧୫ରୁ ମହିଳା ଜଣକ ନିଜ ନାବାଳିକା ଝିଅ ସହ ଏକାକୀ ରହିଆସୁଛନ୍ତି । ଏହାରି ମଧ୍ୟରେ ମହିଳାଙ୍କୁ ପୋଲାଣ୍ଡରେ ଉଚ୍ଚ ବେତନରେ ଚାକିରି ମିଳିଥିଲା । ତେଣୁ ସେ ଝିଅ ସହ ପୋଲାଣ୍ଡ ଯିବାକୁ ଚାହୁଁଥିଲେ । ସେ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ କୋର୍ଟ ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିଲେ ଏବଂ ତାଙ୍କ ଆବେଦନ ଖାରଜ କରିଦେଇଥିଲେ । ଫ୍ୟାମିଲି କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ମହିଳା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ମହିଳାଙ୍କ ସ୍ୱାମୀ ଏହାକୁ ଘୋର ବିରୋଧ କରିଥିଲେ ।

ସ୍ତ୍ରୀଙ୍କ ଚାକିରି ପାଇଁ ସେ ନିଜ ଝିଅ ଠାରୁ ଦୂରେଇ ରହିବାକୁ ଚାହୁଁନଥିଲେ । ଏହି ସମ୍ବେଦନଶୀଳ ମାମଲାର ବିଚାର କରି କରି ହାଇକୋର୍ଟ ବିଚାରପତି ଭାରତୀ ଡଙ୍ଗ୍ରେ କହିଛନ୍ତି, ବାପା ଓ ଝିଅ ମଧ୍ୟରେ ଭଲ ପାଇବା ଠାରୁ ବଡ କିଛି ନାହିଁ । ଜଣେ ବାପା, ଯିଏକି ଝିଅଠୁ ଦୂରେଇ ଯିବାକୁ ନେଇ ଦୁଃଖୀ ଅଛନ୍ତି । ସେପଟେ ମାଆ ଚାକିରି କରି ଆଗକୁ ବଢିବାକୁ ଚାହୁଁଛନ୍ତି । କୋର୍ଟ ଜଣେ ମହିଳାଙ୍କ ଚାକିରି ସମ୍ଭାବନାକୁ ଏଡାଇ ପାରିବ ନାହିଁ । ଯିଏ ଚାକିରି କରିବାକୁ ଚାହୁଁଛନ୍ତି, ଏଥିରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଓ ଉଭୟ ବାପାମାଆଙ୍କ ସ୍ୱାର୍ଥ ଦୃଷ୍ଟିରୁ କୋର୍ଟ ଝିଅଟି ନିଜ ମାଆ ସହ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି । ଏହାସହିତ ନିର୍ଦ୍ଦେଶ ଦେଇଛନ୍ତି ଯେ, ସ୍କୁଲ ଛୁଟି ସମୟରେ ମହିଳା ଝିଅକୁ ନେଇ ଭାରତ ଆସିବେ ଏବଂ ପ୍ରତିଦିନ ବାପାଙ୍କ ସହ ତା’ର ଭେଟ କରାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking