ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନଂ. ଜାତୀୟ ରାଜପଥରେ ବୁଧବାର ଏକ ଟ୍ରକ୍ ବାଇକ୍ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଯେ, ଅନୁଗୁଳ କଲେଜ ଛକ ଅଞ୍ଚଳର ମଙ୍ଗୁଳି ନାୟକ ଓ ସ୍ତ୍ରୀ ସାବିତ୍ରୀ ନାୟକ ବାଇକ୍ ନଂ. (ଆର୧୯ଇ-୦୦୬୯) ଯୋଗେ ବୁଢ଼ାପଙ୍କ ଗାଁକୁ ଯାଉଥିଲେ ।
ଏକ ଟ୍ରକ୍ ନଂ. (ଓଡି୧୬ଏଚ୍-୦୮୭୦) ମଙ୍ଗୁଳିଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଥିଲା । ସାବିତ୍ରୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ । ତୁରନ୍ତ ରାସ୍ତା ନିର୍ମାଣ, ମୃତଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବାକୁ ଦାବି କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମୋଟର ଯାନ ଠିଆ ହୋଇ ରହିଥିଲା । ଖବରପାଇ ଘଟଣାସ୍ଥଳରେ ବଅଁରପାଳ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ।