ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନରଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜୀବ କୁମାର ଆକ୍ସନ ମୋଡ଼କୁ ଆସିଛନ୍ତି । ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ସଂଯୋଗ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଆଇନ ମନ୍ତ୍ରଣାଳୟକୁ କହିଛନ୍ତି । ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ଭାବେ ପଞ୍ଜୀକରଣ କରିବାପାଇଁ ଚାରି ଥର ସୁଯୋଗ ଦେବା ସହିତ ଓପନିୟନ ପୋଲ୍ ଓ ଏକଜିଟ୍ ପୋଲ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କମିଶନଙ୍କ ପୂର୍ବ ପ୍ରସ୍ତାବକୁ ଦୋହରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜଣେ ପ୍ରାର୍ଥୀ କବଳ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ବୋଲି କମିଶନ ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ।
ଆଇନ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନର ୬ଟି ପ୍ରସ୍ତାବ ପଠାଇଛନ୍ତି । ଅନେକ କ୍ଷେତ୍ରରେ ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ନିଜ ନାମ ପଞ୍ଜୀକରଣ କରି ଭୋଟ୍ ପରିଚୟ ପତ୍ର ହାସଲ କରୁଛିି । ଏଭଳି ଭୋଟରକୁ ଚିହ୍ନଟ କରିବା ପାଇଁ ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ଲିଙ୍କ୍ କରିବା ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଆଇନ ମନ୍ତ୍ରଣାଳୟକୁ କମିଶନ କହିଛନ୍ତି । ଡିସେମ୍ବର ୨୦୨୧ରେ ରାଜ୍ୟସଭାରେ ନିର୍ବାଚନ ଆଇନ (ସଂଶୋଧନ) ବିଲ୍, ୨୦୨୧କୁ ସଦସ୍ୟଙ୍କ ଧ୍ୱନୀ ମତରେ ପାରିତ କରାଯାଇଛି । ଏହି ଆଇନକୁ ବିରୋଧୀ ଦଳମାନେ ବିରୋଧ କରିଥିଲେ । ପର୍ଯ୍ୟାପ୍ତ ଆଲୋଚନା ନ କରି ସରକାର ଶୀଘ୍ର ବିଲ୍ ପାସ୍ କରିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟରଭାବେ ପଞ୍ଜୀକରଣ କରିବାପାଇଁ ଚାରି ଥର ସୁଯୋଗ ଦେବାକୁ କମିଶନ ସରକାରଙ୍କୁ କହିଛନ୍ତି । କେବଳ କାଗଜ କଲମରେ ସୀମିତ ଥିବା ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣକୁ ରଦ୍ଦ କରିବା ପାଇଁ ନିର୍ବାଚନ କମିଶନ କ୍ଷମତା ଲୋଡ଼ିଛନ୍ତି । ଲୋକ ପ୍ରତିନିଧି ଅଧିନିୟମର ଧାରା ୨୯ ଏ, ୧୯୫୧ ଅନୁସାରେ ସଙ୍ଗଠନ ଏବଂ ସଂସ୍ଥାଗୁଡ଼ିକୁ ରାଜନୈତିକ ଦଳ ଭାବରେ ପଞ୍ଜୀକରଣ କରିବାକୁ ଆୟୋଗକୁ କ୍ଷମତା ମଳିଛି । କିନ୍ତୁ କାଗଜ କଲମରେ ସୀମିତ ଥିବା ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣକୁ ନିର୍ବାଚନ କମିଶନ ରଦ୍ଦ କରିବା ପାଇଁ କୌଣସି ସାମ୍ବିଧାନିକ କିମ୍ବା ବିଧି ବ୍ୟବସ୍ଥା ନାହିଁ ।
ଅନେକ ରାଜନୈତିକ ଦଳ ପଞ୍ଜିକୃତ ହୁଅନ୍ତି, କିନ୍ତୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ । ଏହିପରି ଦଳଗୁଡ଼ିକ କେବଳ କାଗଜରେ ରହିଥାନ୍ତି । ଆୟକର ଛାଡ଼ର ଲାଭକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଗଠନ କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ । ଏହା କେବଳ ଯୁକ୍ତିଯୁକ୍ତ ହେବ ଯେ ଯେଉଁ ନିର୍ବାଚନ କମିଶନଙ୍କୁ ରାଜନୈତିକ ଦଳକୁ ପଞ୍ଜୀକରଣ କରିବାର କ୍ଷମତା ଦିଆଯାଇଛି, ତାଙ୍କୁ ଉପଯୁକ୍ତ ମାମଲାରେ ପଞ୍ଜୀକରଣ ରଦ୍ଦ କରିବାକୁ କ୍ଷମତା ଦେବାକୁ ପ୍ରସ୍ତାବରେ କୁହାଯାଇଛି । ଗତ ମାସରେ ପଞ୍ଜିକୃତ ଅଜ୍ଞାତ ରାଜନୈତିକ ଦଳମାନଙ୍କ ବିରୋଧରେ କମିଶନଙ୍କ ପଦକ୍ଷେପ ପୃଷ୍ଠଭୂମିରେ ଏହି ପ୍ରସ୍ତାବ ଆସିଛି । ୨୧୦୦ରୁ ଅଧିକ ପଞ୍ଜିକୃତ ଅଜ୍ଞାତ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ବାର୍ଷିକ ଅଡିଟ୍ ରିପୋର୍ଟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ସେମାନଙ୍କର ନାମ ପରିବର୍ତ୍ତନ, ମୁଖ୍ୟ କାର୍ଯ୍ୟାଳୟ, ଦଳୀୟ ପଦାଧିକାରୀ ପରିବର୍ତ୍ତନ ସମ୍ପର୍କୀତ ସୂଚନା ଦେବାରେ ବିଫଳ ହୋଇଛନ୍ତି ।
ରାଜନୈତିକ ଚାନ୍ଦା କ୍ଷେତ୍ରରେ ୨୦,୦୦୦ ଟଙ୍କା ବଦଳରେ ୨,୦୦୦ରୁ ଅଧିକ ସମସ୍ତ ଦାନର ବିବରଣୀ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଫର୍ମ ୨୪ ଏ’ର ସଂଶୋଧନ କରିବାକୁ କମିଶନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ନିର୍ବାଚନ କମିଶନ ପ୍ରତିନିଧୀ ଲୋକ ଅଧିନିୟମ, ୧୯୫୧ର ଧାରା ୩୩ (୭)ର ସଂଶୋଧନ ପାଇଁ କମିଶନ ପ୍ରସ୍ତାବ ଦେଇଛନ୍ତି । ଏହି ସଂଶୋଧନ ଅନୁସାରେ ଜଣେ ପ୍ରାର୍ଥୀ ନିର୍ବାଚନରେ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବ । ବର୍ତ୍ତମାନର ଏହି ଅଧିନିୟମ ଜଣେ ବ୍ୟକ୍ତିଙ୍କୁ ସାଧାରଣ ନିର୍ବାଚନ କିମ୍ବା ଉପ-ନିର୍ବାଚନରେ ଦୁଇଟି ବା ଅଧିକ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦେଇଛି । ୨୦୦୪ରେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଧାରା ୩୩ (୭)ର ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଣେ ପ୍ରାର୍ଥୀ ଏକାଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଗୋଟିଏ ଆସନ ଛାଡୁଛନ୍ତି । ଫଳରେ ରାଜକୋଷ ଉପରେ ଚାପ ପଡ଼ିବା ସହିତ ସରକାରୀ କଳ ଉନ୍ନୟନମୂଳକ କାମରେ ଲାଗିପାରୁନାହାନ୍ତି । ଏପରିକି ଉପନିର୍ବାଚନ ସମୟରେ ନିର୍ବାଚନ ଆଚରଣବିଧି ଯୋଗୁଁ ସେହି ଅଞ୍ଚଳର ଉନ୍ନୟନମୂଳକ କାମ ମଧ୍ୟ ହୋଇପାରୁନାହିଁ ।