ନୂଆଦିଲ୍ଲୀ: ଦେଶର ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ଲାଗି କେନ୍ଦ୍ରୀୟ ନିର୍ବାଚନ କମିଶନ ଗୁରୁବାର ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ ଏବଂ ଜୁଲାଇ ୨୧ରେ ଗଣତି ହେବ । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ । ତା’ପୂର୍ବରୁ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବେ । ସମ୍ବିଧାନର ଧାରା ୬୨ ଅନୁସାରେ ଜଣେ କାର୍ଯ୍ୟରତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ ।
ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଚଳିତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪,୮୦୯ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୭୭୬ ସାଂସଦ ଓ ୪୦୩୩ ବିଧାୟକ ରହିଛନ୍ତି । କୌଣସି ଦଳ ଏହାର ସଦସ୍ୟମାନଙ୍କୁ ହୁଇପ୍ ଜାରି କରିପାରିବେ ନାହିଁ। ପ୍ରତ୍ୟେକ ସାଂସଦଙ୍କ ଭୋଟ୍ର ମୂଲ୍ୟ ୭୦୦ ରହିବ । ଯେଉଁମାନେ ହାଜତରେ ଅଟକ ରହିଛନ୍ତି ସେମାନେ ଭୋଟ ଦେଇପାରିବେ । ସେହିଭଳି ଯେଉଁମାନେ ଜେଲ୍ରେ ଅଛନ୍ତି ସେମାନେ ପାରୋଲ କିମ୍ବା ଜାମିନ ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ଅନୁମତି ମିଳିଲେ ଭୋଟ ଦେଇପାରିବେ ।
ସିଇସିଙ୍କ ସୂଚନା ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆସନ୍ତା ଜୁନ ୧୫ରେ ବିଜ୍ଞପ୍ତି ଜାରି କରାଯିବ ।ଏହା ପରେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଜୁନ ୨୯ ରହିଛି । ଜୁନ ୩୦ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ସେହିଭଳି ଜୁଲାଇ ୨ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଜୁଲାଇ ୧୮ରେ ଭୋଟ ଗ୍ରହଣ କରାଯିବ । ଯଦି ଆବଶ୍ୟକ ପଡେ ତେବେ ଜୁଲାଇ ୨୧ରେ ଭୋଟ ଗଣତି ହେବ । ଧାର୍ଯ୍ୟ ତାରିଖରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ କିମ୍ବା ପ୍ରସ୍ତାବକ (ପ୍ରପୋଜର) କିମ୍ବା ଅନୁମୋଦକ (ସେକେଣ୍ଡର) ମାଧ୍ୟମରେ ରାଜ୍ୟସଭାର ମହାସଚିବ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିପାରିବେ । ରିଟର୍ଣ୍ଣିଂ ଅଫିସରଙ୍କ ତତ୍ତ୍ୱାବଧାନରେ ନୂଆଦିଲ୍ଲୀରେ ଭୋଟଗଣତି କରାଯିବ । ନିର୍ବାଚନ ପ୍ରକ୍ରିୟାରେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରାଯିବ । ଏଥିସହ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର ହେବ । କୌଣସି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାରକୁ ବାରଣ କରାଯାଇଛି । ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ନିର୍ବାଚନ କମିଶନ ଦେଇଥିବା କଲମରେ ହିଁ ଭୋଟ ଦିଆଯିବ ।
ସଂସଦର ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା), ସବୁ ରାଜ୍ୟର ବିଧାନସଭା ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଦିଲ୍ଲୀ ଓ ପୁଡୁଚେରୀର ବିଧାନସଭା ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜର ଭୋଟରମାନେ ହିଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇପାରିବେ । କିନ୍ତୁ ରାଜ୍ୟସଭା, ଲୋକସଭା କିମ୍ବା ରାଜ୍ୟ ବିଧାନସଭାର ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ । ତେଣୁ ସେମାନଙ୍କୁ ଏହି ଇଲେକ୍ଟୋରାଲ କଲେଜରେ ସାମିଲ କରାଯାଇନାହିଁ । ସେହିଭଳି କୌଣସି ରାଜ୍ୟର ବିଧାନ ପରିଷଦର ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ । ତେଣୁ ସେମାନେ ଇଲେକ୍ଟୋରଲ କଲେଜରେ ସାମିଲ ନାହାନ୍ତି । ୨୦୧୭ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜୁଲାଇ ୧୭ରେ ଏବଂ ଭୋଟ ଗଣତି ଜୁଲାଇ ୨୦ରେ ହୋଇଥିଲା।