କିଭ୍ : ରୁଷ ସୈନ୍ୟମାନେ ୟୁକ୍ରେନର ପୂର୍ବ ଡୋନ୍ବାସ ଅଞ୍ଚଳରେ ଥିବା ୟୁକ୍ରେନର ୪୦ରୁ ଅଧିକ ସହର ଉପରେ ଘନ ଘନ କ୍ଷେପଣାସ୍ତ୍ର ଓ ରକେଟ ମାଡ କରିଛନ୍ତି । ଏଥିସହିତ ସେମାନେ ନାଗରିକଙ୍କ ପାଇଁ ଶେଷ ମୁଖ୍ୟ ପ୍ରସ୍ଥାନ ପଥକୁ ଅବରୋଧ କରିବା ପ୍ରୟାସ ଆରମ୍ଭ କରିଛନ୍ତି । କିଭ୍ ଏବଂ ଖାର୍କିଭ ଦଖଲରେ ବିଫଳ ହେବାପରେ ରୁଷ ସମ୍ପ୍ରତି ସମୁଦାୟ ଡୋନ୍ବାସ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ନିଜ ନିୟନ୍ତ୍ରଣକୁ ନେବା ପ୍ରୟାସ ଆରମ୍ଭ କରିଛି । ଉଭୟ ଡନେସ୍କ ଓ ଲୁହାନସ୍କ ଅଞ୍ଚଳରେ ଥିବା ସହରଗୁଡିକର ୪୭ଟି ସାଧାରଣ ନାଗରିକଙ୍କ ବାସସ୍ଥାନ, ବିଦ୍ୟାଳୟ ଉପରେ ଆକ୍ରମଣ ହୋଇଛି । ଏଭଳି ପରିସ୍ଥିତିରେ ମସ୍କୋ ଦାବି ଆଗରେ ମୁଣ୍ଡ ନୁଆଁଇ ୟୁକ୍ରେନର କିଛି ଅଞ୍ଚଳ ରୁଷକୁ ଛାଡିଦେବା ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି, ତାଙ୍କ ପାଇଁ ରାଷ୍ଟ୍ର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ୟୁକ୍ରେନବାସୀ ରାଷ୍ଟ୍ରବାଦ ନୀତିକୁ ନେଇ ଲଢେଇ ଜାରି ରଖିବେ । ଆମେରିକାର ପୂର୍ବତନ ବୈଦେଶିକ ସଚିବ ହେନରୀ କିସିଙ୍ଗରଙ୍କ ପକ୍ଷରୁ ଦୁଇଦିନ ତଳେ ଯୁଦ୍ଧର ଅବସାନ ପାଇଁ ୟୁକ୍ରେନକୁ କେତେକ ପ୍ରସ୍ତାବ ଦିଆଯାଇଥିଲା । ସେଥିରେ କିସିଙ୍ଗର କହିଥିଲେ, କ୍ରିମିଆକୁ ରୁଷ ତାହା ଅଧୀନରେ ରଖିବା ସକାଶେ ୟୁକ୍ରେନ ଛାଡିଦେବା ଉଚିତ । ସୂଚନାଯୋଗ୍ୟ ଯେ ରୁଷ ସରକାର ୨୦୧୪ରେ କ୍ରିମିଆକୁ ଦଖଲ କରି ତାକୁ ନିଜ ଅଧୀନକୁ ଆଣିଥିଲେ ।
ତାହାସହିତ କିସିଙ୍ଗର ପ୍ରସ୍ତାବ ଦେଇ କହିଥିଲେ, କିଭ୍ ଦେଶର କିଛି ଅଞ୍ଚଳ ରୁଷକୁ ଛାଡିଦେଇ ଯୁଦ୍ଧରେ ଅବସାନ ଘଟାଇବା ଦିଗରେ ପଦକ୍ଷେପ ନେବା ଉଚିତ । ଏହାର ପ୍ରତିକ୍ରିୟାରେ ଜେଲେନସ୍କି କହିଛନ୍ତି, ସମ୍ଭବତଃ କିସିଙ୍ଗର ୨୦୨୨ର ପରିସ୍ଥିତି ସମ୍ପର୍କରେ ଚିନ୍ତା କରିନାହାନ୍ତି । ସେ ଏବେମଧ୍ୟ ୧୯୩୮ ପରିସ୍ଥିତିରେ ରହିଛନ୍ତି । ଇତିମଧ୍ୟରେ ମାରିଉପୋଲରେ ଥିବା ସର୍ବବୃହତ ଇସ୍ପାତ କାରଖାନାର ମାଲିକ ତଥା ୟୁକ୍ରେନର ସବୁଠାରୁ ଧନୀ ବ୍ୟକ୍ତି ରିନାତ ଆଖମେତୋଭ କହିଛନ୍ତି, ରୁଷ ଆକ୍ରମଣରେ ଇସ୍ପାତ କାରଖାନାର ପ୍ରାୟ ୧୭ରୁ ୨୦ ବିଲିଅନ ଡଲାର କ୍ଷତି ଘଟିଛି । ଏଥିପାଇଁ ସେ ରୁଷକୁ କାଠଗଡ଼ାରେ ଛିଡା କରାଇବେ । କାରଖାନା ଉପରେ ହୋଇଥିବା ଆକ୍ରମଣ ଜନିତ କ୍ଷୟକ୍ଷତି ଭରଣା କରିବାକୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନରେ ଉତ୍ପାଦିତ ଖାଦ୍ୟଶସ୍ୟ ବାହାରକୁ ଯାଇନପାରିବା ଏବଂ ତଦ୍?ଜନିତ ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଦାୟୀ ।
ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡିକ ରୁଷ ବିରୋଧରେ ଲଗାଇବା କଟକଣା ତୁରନ୍ତ ହଟାଇଲେ ଏହି ପରିସ୍ଥିତିର ସମାଧାନ ହୋଇପାରିବ ବୋଲି ରୁଷ କହିଛି । ୟୁକ୍ରେନରେ ରୁଷ ଆକ୍ରମଣ ଦ୍ୱାରା ଘଟୁଥିବା ମୃତ୍ୟୁ ଓ କ୍ଷୟକ୍ଷତିକୁ ଦର୍ଶାିବା ଏବଂ ରୁଷକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ତାକୁ ଏକଘରିଆ କରିବା ପ୍ରୟାସ ବିଶ୍ୱ ବଜାରରେ ଖାଇବା ତେଲ, ସାର ଏବଂ ଶକ୍ତି ମୂଲ୍ୟ ବୃଦ୍ଧିର କାରଣ ହୋଇଛି । ଏହା ବିଶ୍ୱ ଅଭିବୃଦ୍ଧି ପଥରେ ମଧ୍ୟ ଅନ୍ତରାୟ ସୃଷ୍ଟି କରୁଛି । ଜାତିସଂଘ ପକ୍ଷରୁ ଏଭଳି ପରିସ୍ଥିତିରେ ୟୁକ୍ରେନରୁ ଖାଦ୍ୟ ପରିବହନ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର କରିବା ପ୍ରୟାସ ଜାରି ରହିଛି । ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ପାଲଟା ଜବାବ ଦେବାକୁ ରୁଷ ସରକାର ତାଙ୍କ ଦେଶ ଛାଡିବାକୁ ନିଷ୍ପତ୍ତି ନେଉଥିବା ପାଶ୍ଚାତ୍ୟ କମ୍ପାନୀଗୁଡିକୁ ନିଜ ନିୟନ୍ତ୍ରଣକୁ ନେବା ଉଦ୍ୟମ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଏକ ନୂଆ ଆଇନ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ଆଇନରେ ରୁଷ ଛାଡୁଥିବା କମ୍ପାନୀଗୁଡିକର ସମ୍ପତ୍ତି ଜବତ କରିବା ବ୍ୟବସ୍ଥା ରହିବ ।