27.1 C
Bhubaneswar
Monday, November 18, 2024
Homeଓଡିଶାବିନା ଅନୁମତିରେ ଚାଲିଛି ଅନେକ କ୍ରସର, ବଢୁଛି ବାୟୂ ଓ ଜଳ ପ୍ରଦୂଷଣ: କୋଟି କୋଟି...

ବିନା ଅନୁମତିରେ ଚାଲିଛି ଅନେକ କ୍ରସର, ବଢୁଛି ବାୟୂ ଓ ଜଳ ପ୍ରଦୂଷଣ: କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଅବାଧରେ ଲୁଟ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ନଥାଇ ବହୁ ଷ୍ଟୋନ୍ କ୍ରସର ଚାଲୁଛି । ସଦର ତହସିଲର ନେଙ୍କଡାଘର, ଜାମୁନାଳିଆ, ଗୋବିନ୍ଦପୁର, ଗୁହାଳଚଟୁଅ, ମନୋହରପୁର, ଡିମିରିମୁଣ୍ଡା ଏବଂ ଘଟଗାଁ ତହସିଲର ରୁଟିଶିଳା, ବାଙ୍କପାଟୁଳିରେ ବେଆଇନ ଭାବେ କ୍ରସର ଚାଲିଛି । କ୍ରସର ମାଲିକମାନେ ଅବାଧରେ ସ୍ଥାନୀୟ ଲୋକଙ୍କୁ ହାତକରି ଅବାଧରେ ଲଘୁ ଖଣିଜ ସମ୍ପଦ ଲୁଟ୍ କରିଚାଲିଛନ୍ତି । ଚୋରି ରୋକିବାକୁ ପ୍ରଶାସନ ପକ୍ଷରୁ ରାଜସ୍ୱ, ଜଙ୍ଗଲ ବିଭାଗ ଏବଂ ପୋଲିସ ବିଭାଗକୁ ନେଇ ଏନ୍‌ଫୋର୍ସମେଣ୍ଟ୍ ସ୍କ୍ୱାଡ୍ ଗଠିତ ହୋଇଛି । ମାତ୍ର ଏହି ସ୍କ୍ୱାଡ୍ କାମ କରୁନଥିବାରୁ ଏହାର ସୁଯୋଗରେ କୋଟି କୋଟି ଟଙ୍କାର ଲଘୁଖଣିଜ ସମ୍ପଦ ଅବାଧରେ ଲୁଟ୍ ହେଉଛି । ଏଥିପାଇଁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଥିବାବେଳେ ଜଙ୍ଗଲ ଓ ପରିବେଶ ବହୁ ପରିମାଣର କ୍ଷତିଗ୍ରସ୍ତ ହେଉଛି ।

କେନ୍ଦୁଝର ଜିଲ୍ଲାରେ ୧୦୦ରୁ ଊର୍ଦ୍ଧ୍ୱ କ୍ରସର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କନସେଣ୍ଟ୍ ଟୁ ଅପରେଟ୍ ନ ନେଇ ବେଧଡ଼କ ଚାଲିଛି । ବେଆଇନ ପଥର କ୍ରସର ଚାଲିଥିବାରୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । କେନ୍ଦୁଝର ଜିଲ୍ଲାରେ ୪୫ଟି କ୍ରସର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇ ଚାଲିଛି । ଏହି କ୍ରସର୍‌ଗୁଡିକ ମଧ୍ୟ ବାୟୁ ଏବଂ ଜଳ ପ୍ରଦୂଷଣ କରି ଚାଲିଥିଲେ ମଧ୍ୟ କିପରି ସିଟିଓ ବା କନସେଣ୍ଟ୍ ଟୁ ଅପରେଟ ଅନୁମତି ପାଇଲେ ତାହା ସନ୍ଦେହ ଘେରରେ । ପ୍ରଦୂଷଣ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଏ । ପ୍ରଦୂଷଣ ରୋକିବା ପାଇଁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା କରାଯାଇଥିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁମତିପତ୍ର ମିଳିଥାଏ । ଉପଯୁକ୍ତ ତରାରଖ ଅଭାବରୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିବାବେଳେ ବ୍ୟବହାର ହେଉଥିବା ପଥରର ଗୁଣ୍ଡ କରାଯିବା ସମୟରେ ପବନରେ ଧୂଳି ଉଡି ରାସ୍ତାଘାଟ, ଚାଷ ଜମି, ଗଛଲତାରେ ପଡୁଛି । କ୍ରସର ଚାଲିବା ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ଅନୁଯାୟୀ ପାଣି ସିଞ୍ଚନ କରାଯାଉନଥିବା ଏବଂ କ୍ରସର ନିକଟରେ ଉଚ୍ଚ ପାଚେରୀ (ୱିଣ୍ଡ ବ୍ରେକିଙ୍ଗ ୱାଲ) ନଥିବାରୁ ଧୂଳି ଉଡି ବାହାରକୁ ବ୍ୟାପୁଛି । ଅଧିକ ଲାଭ ଆଶାରେ ଓ ବିଦ୍ୟୁତ୍ ବିଲ ବଞ୍ଚାଇବା ପାଇଁ ନିୟମିତ ପାଣି ସିଞ୍ଚନ ବା ଉଚ୍ଚ ପାଚେରୀ ନିର୍ମାଣ କରୁନଥିବା ଅଭିଯୋଗ ହୋଇଛି ।

ସେହିପରି ବାୟୁ ପ୍ରଦୂଷଣ ରୋକିବା ପାଇଁ କ୍ରସର ଚାରିପାଖରେ ସବୁଜ ବଳୟ ସୃଷ୍ଟି କରିବା ନିୟମ ଥିଲେ ହେଁ କରାଯାଇନାହିଁ । ଯେଉଁ କିଛି ଗଛ ଲଗାଯାଇଥିଲା ତାହାର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଥିବାରୁ ଧୂଳି କ୍ରସର ବାହାରକୁ ଉଡୁଛି । ସର୍ବନିମ୍ନ ୧୨ଫୁଟ ଉଚ୍ଚ ପାଚେରୀ ନିର୍ମାଣ କରିବା ପରେ କ୍ରସର ୟୁନିଟ୍ ଅନୁମତି ପାଇବା କଥା । ମାତ୍ର ଏଠାରେ ବାୟୁ ପ୍ରଦୂଷଣ ନିରାକରଣ ବ୍ୟବସ୍ଥା କରାଯାଇନାହିଁ । କ୍ରସର ପ୍ରବେଶ ଏବଂ ପ୍ରସ୍ଥାନ ସମେତ ବିଭିନ୍ନ ସ୍ଥାନରେ ସ୍ପିକଲର ଲଗାଇବାର ନିୟମ ଥିଲେ ହେଁ ତାହ କାମ କରୁନାହିଁ । ବାୟୁ ପ୍ରଦୂଷଣ ଫଳରେ ନିକଟସ୍ଥ ଅଞ୍ଚଳବାସୀ ଏବଂ ଗୋରୁ ଗାଈ ଏହାର ଶିକାର ହେଉଛନ୍ତି । ପଥରଗୁଣ୍ଡ ଉଡ଼ି ଗଛଲତା ପତ୍ର ଉପରେ ବସି ରହୁଛି । ଫଳରେ ଏହାକୁ ଖାଇ ଗାଈଗୋରୁ ବିଭିନ୍ନ ରୋଗରେ ପଡୁଛନ୍ତି ।

ସଦର ତହସିଲର ଗୁହାଳଚଟୁଆରେ ଥିବା କ୍ରସର ପାଇଁ ପଥର କେଉଁଠାରୁ ଆସିଲା ତାହା ନିୟମିତ ତଦାରଖ ହେଉନଥିବାରୁ ଆଖପାଖ ନୁନ୍‌ଝରଣ, ଦହକୁଟ, ଡିମ୍ବୋ, ମଇଦାନକେଲ ଆଦି ଅଞ୍ଚଳରୁ ବେଆଇନ ଭାବେ ଚୋରାରେ ପଥର ଆଣି ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ରାଜସ୍ୱ ନିରୀକ୍ଷକ କେତେ ପଥର କେଉଁଠାରୁ ଆସିଲା ଏବଂ କେତେ ବିକ୍ରି ହେଲା ନିୟମ ଅନୁଯାୟୀ ଷ୍ଟକ୍ ଯାଞ୍ଚ କରୁନଥିବାରୁ ଚୋରା କାରବାର ବଢୁଛି । ସ୍ଥାନୀୟ ଟ୍ରାକ୍ଟର ମାଧ୍ୟମରେ ପଥର ହୁଡି, ଜଙ୍ଗଲ ନଷ୍ଟ କରି ଏହି କ୍ରସରକୁ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ସେହିପରି ମଇଦାନକେଲ, ନରଣପୁର,ନେଲୁଙ୍ଗ ଏବଂ ରଘୁନାଥପୁର ସଂରକ୍ଷିତ ଜଙ୍ଗଲରେ ବେଆଇନ ଖନନ ଯୋଗୁଁ ଜଙ୍ଗଲ ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳ ନଷ୍ଟ ହୋଇଛି । ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକ ଜୀବନଜୀବିକା ହରାଇଛନ୍ତି । ରାଜସ୍ୱ ବିଭାଗ ଏବଂ ବନ ବିଭାଗ ଅବହେଳାରୁ ଚୋରି ବଢୁଛି । ପ୍ରଶାସନ ଅବହେଳାରୁ ସଦର, ହରିଚନ୍ଦନପୁର, ପାଟଣା, ବାଂଶପାଳ ଏବଂ ଘଟଗାଁ ତହସିଲ ଅଞ୍ଚଳରେ ବେଆଇନ ଖନନ ବଢୁଛି । ଏତଦ୍‌ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ କ୍ରସର୍ ପ୍ରତିଷ୍ଠା ହୋଇଥିବାରୁ ପରିବେଶ ସୁରକ୍ଷା ଆଇନ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking