ଭୁବନେଶ୍ୱର: ‘ମେକ୍ ଇନ୍ ଓଡ଼ିଶା’କୁ ଅଧିକ ବଳ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲରେ ରାଜ୍ୟର ୭ଟି ଜିଲ୍ଲାରେ ୧୨୧୮ କୋଟି ମୂଲ୍ୟର ୧୩ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଉତ୍ପାଦନ, ପଲିମର ଏବଂ ପ୍ଲାଷ୍ଟିକ୍ କ୍ଷେତ୍ର ସମ୍ପର୍କିତ ଶିଳ୍ପ ରହିଥିବା ବେଳେ ଏହାଦ୍ୱାରା ୩୩୯୦ ଲୋକଙ୍କୁ ଚାକିରି ସୁଯୋଗ ସୃଷ୍ଟିହେବ ବୋଲି କୁହାଯାଇଛି ।
୭୭ କୋଟି ଖର୍ଚ୍ଚରେ ନିର୍ମାଣ ହୋଇଥିବା ୩ଟି ଶିଳ୍ପ ପ୍ରତିଷ୍ଠାନର ଲୋକାର୍ପଣ ଆଜି ମୁଖ୍ୟମନ୍ତ୍ରୀ କରିଛନ୍ତି । ଏହାମଧ୍ୟରେ ୩ କୋଟି ୨୦ ଲକ୍ଷ ଟଙ୍କାରେ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ତିଆରି ହୋଇଥିବା କରଗେଜ୍ ବକ୍ସ ଉତ୍ପାଦନ ୟୁନିଟ୍, ବରଗଡ଼ ଠାରେ ୧୨ କୋଟି ୬୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ମନୋରଞ୍ଜନ ପାର୍କ ସହିତ ରିସର୍ଟ ଏବଂ କଟକରେ ୬୧ କୋଟି ୧୫ ଲକ୍ଷ ଟଙ୍କାର ହର୍ଲିକ୍ସ ଆଣ୍ଡ ବୁଷ୍ଟର ଉତ୍ପାଦନ ୟୁନିଟ୍ ରହିଛି । ପ୍ରକଳ୍ପଗୁଡ଼ିକ ଯଥାକ୍ରମେ ଦଶରଥ ନାୟକ ମଲ୍ଟିପ୍ରଡକ୍ଟସ, ଏଣ୍ଟରଟେନ୍ମେଣ୍ଟ କିଙ୍ଗଡମ୍ ଓ ହିନ୍ଦୁସ୍ତାନ ୟୁନିଲିଭର ଓ ଓରି ଫୁଡ୍ ଆଣ୍ଡ ବେଭରେଜ୍ କମ୍ପାନୀ ଦ୍ୱାରା ପ୍ରତିଷ୍ଠା ହୋଇଛି । ଏହାଦ୍ୱାରା ୪୦୦ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ସେହିଭଳି ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ୧୧୪୧ କୋଟି ମୂଲ୍ୟର ୧୦ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହା ଭିତରେ ମୁଣ୍ଡଳୀ ଠାରେ ୧୧୨ କୋଟି ୫୦ ଲକ୍ଷ ମୂଲ୍ୟର ଡିଷ୍ଟିଲେରୀ ପ୍ଲାଣ୍ଟ୍, ବାଲେଶ୍ୱର ତୁନ୍ଦରା ଠାରେ ୬୮ କୋଟି ୧୧ ଲକ୍ଷର ଫିସମିଲ୍ ପ୍ଲାଣ୍ଟ୍, ବାଲେଶ୍ୱର ଠାରେ ୬୫ କୋଟି ୮୨ ଲକ୍ଷ ମୂଲ୍ୟର ଚିଙ୍ଗୁଡ଼ି ଓ ମାଛ ଖାଦ୍ୟ କାରଖାନା, ଖୋର୍ଦ୍ଧାରେ ୧୨ କୋଟି ୫୦ ଲକ୍ଷର ଷ୍ଟିଲ୍ ଷ୍ଟ୍ରାପିଂ ପ୍ଲାଣ୍ଟ୍, କଟକରେ ଲାଲ୍ଚାନ୍ଦ ଗ୍ରୁପ୍ ପକ୍ଷରୁ ୭୭ କୋଟିର ଗୋଟିଏ ୪ ତାରକା ହୋଟେଲ, ଝାରସୁଗୁଡ଼ାରେ ୨୦୪ କୋଟି ୬୦ ଲକ୍ଷର ଡିଷ୍ଟିଲେରୀ ଏବଂ କୋଜେନେରେସନ୍ ପ୍ଲାଣ୍ଟ୍, ଖୋର୍ଦ୍ଧାରେ ମେ ଫେୟାର ତରଫରୁ ୩୦୦ କୋଟିର ଏକ କନଭେନ୍ସନ ସେଣ୍ଟର, କଟକରେ ୮ କୋଟି ୩୩ ଲକ୍ଷର ପିଭିସି ପାଇପ୍ ଫ୍ୟାକ୍ଟ୍ରି, ପୁରୀରେ ପ୍ରଭାତ ହସ୍ପିଟାଲିଟି ପକ୍ଷରୁ ୧୩୫ କୋଟି ୬୯ ଲକ୍ଷର ଏକ ପଞ୍ଚତାରକା ହୋଟେଲ୍, ସମ୍ବଲପୁର ମାନେଶ୍ୱରରେ ସମ୍ବଲପୁର ବାୟୋଫୁଏଲ୍ସ ଦ୍ୱାରା ୧୦୩ କୋଟିର ଇଥାନଲ୍ ପ୍ଲାଣ୍ଟ୍୍ ଆଦି ପ୍ରକଳ୍ପ ରହିଛି ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଧାତୁ ଏବଂ ଖଣିଜ ପଦାର୍ଥ ଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଓଡ଼ିଶା ଦେଶର ଏକ ପ୍ରମୁଖ ଉତ୍ପାଦନ ହବ୍ ଭାବରେ ଦ୍ରୁତ ଗତିରେ ଉଭାହେଉଛି । ଉଦ୍ୟୋଗିକ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ଏବଂ ବିକାଶକୁ ଲକ୍ଷ୍ୟ କରି ଆମ ସରକାର ସର୍ବଦା ଓଡ଼ିଶାର ନିବେଶକମାନଙ୍କୁ ସୁବିଧା ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅର୍ଥନୈତିକ ବିକାଶ ତଥା ସାମାଜିକ ବିକାଶ ପରିପ୍ରେକ୍ଷୀରେ ଶିଳ୍ପ ସହ ରାଜ୍ୟର ସମ୍ପର୍କ ଫଳପ୍ରଦ ହୋଇଛି । ଏଥିପାଇଁ କୋଭିଡ୍ ମହାମାରୀ ବିରୁଦ୍ଧରେ ଓଡ଼ିଶା ସଫଳ ହୋଇଥିଲା । ସେ ଆହୁରି କହିଥିଲେ, ଆମେ ମହାମାରୀକୁ ଦୂରେଇ ଚାଲିଥିବା ବେଳେ ସରକାର ୫ଟି ଦର୍ଶନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଶିଳ୍ପ କ୍ଷେତ୍ରର ବିକାଶ ଦିଗରେ ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟ, ସମୟ ଏବଂ ରୂପାନ୍ତର ଆହୁରି ଦୃଢ଼ିଭୂତ ହୋଇଛି । ଏହି ଦର୍ଶନ ମୂଲ୍ୟ ଯୋଗ, ସ୍ଥାୟୀ ନିଯୁକ୍ତି ସୃଷ୍ଟି ଏବଂ ରାଜସ୍ୱ ବୃଦ୍ଧିର ଏକ ଶିଳ୍ପ-ନେତୃତ୍ୱାଧୀନ ଇକୋସିଷ୍ଟମ୍ ସୃଷ୍ଟି କରିଛି । ନିବେଶକମାନଙ୍କ ପାଇଁ ଓଡ଼ିଶାକୁ ପ୍ରଥମ ପସନ୍ଦ କରିପାରିଥିବାରୁ ଶିଳ୍ପ ବିଭାଗର ନିରନ୍ତର ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାର୍ଯ୍ୟକ୍ରମରେ କହିଥିଲେ, ବହୁ ଚ୍ୟାଲେଞ୍ଜ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସରକାର ଶିଳ୍ପ କ୍ଷେତ୍ରରେ ସର୍ବଶ୍ରେଷ୍ଠ କାର୍ଯ୍ୟ ଜାରି ରଖିବ ବୋଲି ଆମେ ନିଶ୍ଚିତ । ୨୦୨୦ ପରଠାରୁ ଏହା ହେଉଛି ସପ୍ତମ ଶିଳାନ୍ୟା ସମାରୋହ । ଆମେ ୩୦ ହଜାର କୋଟି ମୂଲ୍ୟର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦ୍ଘାଟନକୁ ସୁନିଶ୍ଚିତ କରିଛୁ । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିହେବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବମ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ୍, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଶିଳ୍ପ ବିଭାଗ ନିର୍ଦ୍ଦେଶକ ଏମ ସାଦିକ୍ ଆଲାମଙ୍କ ସମେତ ବହୁ ଶିଳ୍ପସଂସ୍ଥାର ଉଚ୍ଚ ଅଧିକାରୀମାନେ ଭର୍ଚୁଆଲ୍ ଯୋଗେ ଉପସ୍ଥିତ ଥିଲେ ।