କିଭ୍ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଜାରି ଯୁଦ୍ଧ ଥମିବାର ନାଁ ଧରୁନି । ଏହି ଯୁଦ୍ଧରେ ଦୁଇ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି । ଏଥିରେ ଅଧିକାଂଶ ସୈନ୍ୟ ବାହିନୀର ଯବାନ୍ ଅଛନ୍ତି । ଯୁଦ୍ଧରେ ନିଜ ଦେଶର ଲୋକଙ୍କୁ ସାମିଲ ହେବାକୁ ୟୁକ୍ରେନ୍ ପକ୍ଷରୁ ଆହ୍ୱାନ କରାଯାଇଛି । ୟୁକ୍ରେନ୍ବାସୀ ମଧ୍ୟ ଦେଶ ମାତୃକାର ରକ୍ଷା ପାଇଁ ସେନା ବାହିନୀରେ ସାମିଲ ହେବାକୁ ଆଗଭର ହୋଇଛନ୍ତି । ଏହି ଅଭିଯାନରେ ଖେଳାଳି, ଅଧିକାରୀ, ଅଭିନେତା ଓ ମଡେଲ ବି ଅଂଶଗ୍ରହଣ କରୁଛନ୍ତି । ଏହି ଧାରାରେ ଅଲମ୍ପିକ ଷ୍ଟାର ସୁଟର କ୍ରିଷ୍ଟିନା ଦିମିତ୍ରେଙ୍କୋ ବି ସାମିଲ ହୋଇଛନ୍ତି । ୟୁକ୍ରେନ ସେନାରେ ସାମିଲ ହେବା ପରେ ରୁଷ ସୈନ୍ୟଙ୍କୁ ଧମକ ଦେଇଛନ୍ତି ଅଲିମ୍ପିକ ଷ୍ଟାର ସୁଟର କ୍ରିଷ୍ଟିନା ଦିମିତ୍ରେଙ୍କୋ ।
ସେନାରେ ସାମିଲ ହେବା ପରେ ରୁଷ ସୈନ୍ୟଙ୍କୁ ଧମକ ଦେଇଛନ୍ତି । କ୍ରିଷ୍ଟିନା କହିଛନ୍ତି, ସେମାନଙ୍କୁ ବଞ୍ଚିବାକୁ କୌଣସି ସୁଯୋଗ ମିଳିବନି । ମୋ ହାତରେ ରାଇଫଲ ଥାଉ କି ମେସିନ ଗନ, ମୁଁ ଖେଳରେ ଥାଏ କି ଯୁଦ୍ଧ କ୍ଷେତ୍ରରେ, ଶେଷ ଯାଏ ଲଢିବି । ମୋ ଟାର୍ଗେଟ ଫେଲ୍ ମାରେନି । ତେଣୁ ଶତ୍ରୁଙ୍କୁ କୌଣସି ସୁଯୋଗ ମିଳିବନି । ଆମର ନିଶ୍ଚିତ ରୂପେ ବିଜୟ ହେବ ।
ସୂଚନାଯୋଗ୍ୟ, ୨୨ ବର୍ଷୀୟ କ୍ରିଷ୍ଟିନା ୨୦୧୬ ୟୁଥ୍ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିଥିଲେ । ଫେବ୍ରୁରୀରେ ଏକ ଆନ୍ତର୍ଜାତିକ ମ୍ୟାଚ ପାଇଁ ଶେଷ ପ୍ରସ୍ତୁତି କରୁଥିଲେ କ୍ରିଷ୍ଟିନା । ମାତ୍ର ରୁଷ ୟୁକ୍ରେନ ଆକ୍ରମଣ କରିବା ପରେ ବଦଳିଯାଇଥିଲା ପରିସ୍ଥିତି । ଏବେ କ୍ରୀଡ଼ା ଛାଡ଼ି ସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ଚାହାନ୍ତି କ୍ରିଷ୍ଟିନା । ସେ ଶତ୍ରୁଙ୍କୁ ଡରନ୍ତିନି । ବରଂ ସାହସର ସହ ଶତ୍ରୁ ପକ୍ଷର ସାମ୍ନା କରିବେ ବୋଲି କହିଛନ୍ତି । ଅନ୍ୟପଟେ ଏବେ ରୁଷକୁ କଡା ଜବାବ ଦେଉଛି ୟୁକ୍ରେନ ସେନା । ୟୁକ୍ରେନର ଦ୍ୱିତୀୟ ସହର ଖାରକିଭ୍କୁ ପୁନଃ ଅକ୍ତିଆର କରିଛି ସେନା ।