ମୁମ୍ବାଇ: କ୍ରିକେଟ୍ ଇତିହାସକାର, ସାମ୍ବାଦିକ ଏବଂ ବାୟୋଗ୍ରାଫି ଲେଖକ ବୋରିୟା ମଜୁମଦାରଙ୍କୁ ବିସିସିଆଇ ଦୁଇବର୍ଷ ବ୍ୟାନ୍ କରିଛି । ମଜୁମଦାର କ୍ରିକେଟର୍ ଋଦ୍ଧିମାନ ସାହାଙ୍କୁ ସାକ୍ଷାତକାର ନାମରେ ଧମକ ଦେବା ଅଭିଯୋଗ ହୋଇଥିଲା । ମଜୁମଦାରଙ୍କୁ କୌଣସି ଷ୍ଟାଡିୟମ୍ରେ ପ୍ରବେଶ ଅନୁମତି ନଦେବା ପାଇଁ ବିସିସିଆଇ ଅନ୍ତରୀଣ ସିଇଓ ଏବଂ ଆଇପିଏଲ୍ ସିଓଓ ହେମାଙ୍ଗ ଅମିନ୍ ବୁଧବାର ସମସ୍ତ ରାଜ୍ୟ ୟୁନିଟ୍କୁ ଇ-ମେଲ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ବିସିସିଆଇର ଏହି ନିଷ୍ପତ୍ତି ଅନୁସାରେ ମଜୁମଦାରଙ୍କୁ ଏବେ କୌଣସି ଘରୋଇ ମ୍ୟାଚ୍ ପାଇଁ ମଡିଆ ଆକ୍ରିଡେସନ୍ ଦିଆଯିବ ନାହିଁ ।
ମିଡିଆ ଆକ୍ରିଡେସନ୍ ନମିଳିବା ଅର୍ଥ ବୋରିୟା ମଜୁମଦାର ଏବେ ଟିମ୍ ଇଣ୍ଡିଆର କୌଣସି ପ୍ରେସ୍ କନ୍ଫରେନ୍ସରେ ଭାଗ ନେଇପାରିବେ ନାହିଁ । ଏହା ବ୍ୟତୀତ ତାଙ୍କ ସହିତ କୌଣସି ପ୍ରକାର କଥାବାର୍ତ୍ତା ନକରିବା ପାଇଁ ସମସ୍ତ ଭାରତୀୟ ଖେଳାଳିଙ୍କୁ କୁହାଯାଇଛି । ଏହା ଛଡ଼ା ବୋର୍ଡ ଆଇସିସି ନିକଟରେ ମଧ୍ୟ ବୋରିୟା ମଜୁମଦାରଙ୍କ ବିରୋଧରେ ଅଭିଯୋଗ କରିଛି ଏବଂ ସାରା ବିଶ୍ୱରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟ୍ରୁ ତାଙ୍କୁ ବ୍ୟାନ୍ କରିବାକୁ କହିଛି । ୱିକେଟ୍କିପର୍ ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ଚଳିତବର୍ଷ ଫେବୃଆରୀ ୧୯ରେ ଏକ ସ୍କ୍ରିନ୍ଶଟ୍ ଶେୟାର୍ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ସ୍କ୍ରିନ୍ଶଟ୍ ଶେୟାର୍ କରି ସାହା ଲେଖିଥିଲେ, ଭାରତୀୟ କ୍ରିକେଟ୍କୁ ଏତେ ଯୋଗଦାନ ଦେବା ପରେ ମୋତେ ଜଣେ ତଥାକଥିତ ସମ୍ମାନନୀୟ ସାମ୍ବାଦିକଙ୍କଠାରୁ ଧମକ ଏତେ କଥା ଶୁଣିବାକୁ ପଡ଼ିଛି ।
ଆମ ଦେଶରେ ସାମ୍ବାଦିକତା କେତେ ନିମ୍ନସ୍ତରକୁ ଚାଲିଯାଇଛି ।’ ଏହି ଅବସରରେ ସେ ମଜୁମଦାରଙ୍କ ସ୍କ୍ରିନ୍ ଶଟ୍ ମଧ୍ୟ ଶେୟାର୍ କରିଥିଲେ । ଏଥିରେ ମଜୁମଦାର ଲେଖିଥିଲେ, ‘ତୁମେ ମୋତେ କଲ୍ କଲନାହିଁ । ମୁଁ ଆଉ କେବେ କି ତୁମର ଇଣ୍ଟରଭ୍ୟୁ କରିବି ନାହିଁ । ମୁଁ ଅପମାନକୁ ସହଜରେ ହଜମ କରେନାହିଁ । ମୁଁ ଏହାକୁ ସର୍ବଦା ମନେ ରଖିବି ।’ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ କେତେକ ପୂର୍ବତନ କ୍ରିକେଟର୍ ମାମଲା ସଂଜ୍ଞାନକୁ ନେବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅନୁରୋଧ କରିଥିଲେ ।
ସୋସିଆଲ୍ ମିଡିଆରେ ମାମଲା ସାମ୍ନାକୁ ଆସିବା ପରେ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ଧୁମଲ ଏବଂ ଆପେକ୍ସ କାଉନ୍ସିଲ୍ ସଦସ୍ୟ ପ୍ରଭତେଜ ଭାଟିଆଙ୍କୁ ନେଇ ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରିଥିଲା । କମିଟି ସାମ୍ନାରେ ସାହା ଉପସ୍ଥିତ ହୋଇ ସାକ୍ଷାତକାର ନଦେବାକୁ ମଜୁମଦାର ତାଙ୍କୁ ଧମକାଇଥିବା ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ସାମ୍ବାଦିକଙ୍କ ଦ୍ୱାରା ପଠାଯାଇଥିବା ମେସେଜ୍ରେ ଶବ୍ଦ ଧମକପୂର୍ଣ୍ଣ ଥିଲା ।