ଭୁବନେଶ୍ୱର: ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ଦ୍ୱିତୀୟ ବାହା ହେବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ନୟାପଲ୍ଲୀ ଥାନା ପୁଲିସ ବିବାହମଣ୍ଡପରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାପଲ୍ଲୀ ଥାନା ସାଲିଆସାହି ଏକାମ୍ରବିହାରରେ ରହୁଥିବା ଦିଲ୍ଲୀପ କୁମାର ରାଉତ(୩୭) । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦିଲ୍ଲୀପଙ୍କ ପ୍ରଥମ ପତ୍ନୀର ଗୋଟିଏ ୫ବର୍ଷର ସନ୍ତାନ ମଧ୍ୟ ରହିଛି ।
ସୂଚନା ଅନୁଯାୟୀ, ଜଟଣୀ ଦମୟନ୍ତୀ ରାଉତ ନାମ୍ନୀ ଜଣେ ଯୁବତୀ ୨୦୧୬ ମସିହାରେ ଅପ୍ରେଲ ୨୭ତାରିଖରେ ଦିଲ୍ଲୀପଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ସେ ତାଙ୍କ ସ୍ୱାମୀ ଦିଲ୍ଲୀପଙ୍କ ସହ ଆସି ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଠାରେ ଥିବା ଏକାମ୍ରଭିଲ୍ଲାରେ ରହୁଥିଲେ । ଉଭୟଙ୍କ ଗୋଟିଏ ୫ବର୍ଷର ଶିଶୁକନ୍ୟା ଅଛି ।
ଗତ କିଛି ଦିନ ହେବ ଦମୟନ୍ତୀଙ୍କୁ ସ୍ୱାମୀ, ଦିଅର, ଶାଶୂ ଏବଂ ନଣନ୍ଦ ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏଥିସହ ଯୌତୁକ ବାବଦରେ ନିଜ ବାପଘରୁ ଟଙ୍କା, ସୁନା, ଜମି ଆଦି ଆଣିବା ଲାଗି ଚାପ ପକାଉଥିଲେ । ଏହାକୁ ବିରୋଧ କରିବାରୁ ସେମାନେ ସମସ୍ତେ ମିଶି ଦମୟନ୍ତୀଙ୍କୁ ଗାଳି ମନ୍ଦ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଥିପାଇଁ ଦମୟନ୍ତୀ ତାଙ୍କ ପୈତୃକ ଘରକୁ ଚାଲିଯାଇଥିଲେ । ସେଠାରେ ଥିବା ସମୟରେ ସେ ନିଜ ବନ୍ଧୁଙ୍କ ସହାୟତାରେ ଜାଣିବାକୁ ପାଇଥିଲେ ଯେ, ରବିବାର ତାଙ୍କ ସ୍ୱାମୀ ବାଙ୍କୀ ବାଳକାଟି ଠାରେ ଥିବା ଦୁଲାଦେଇ ମନ୍ଦିର ପ୍ରାଙ୍ଗଣରେ ଆଉ ଜଣେ ଝିଅକୁ ବିବାହ କରିବାକୁ ଯାଉଛନ୍ତି । ଏହାର ସତ୍ୟାସତ୍ୟ ଜାଣିବା ପରେ ଦମୟନ୍ତୀ ନିଜ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଉଭୟ ପକ୍ଷକୁ ଥାନାକୁ ଡାକି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ଏଥିରେ ଦମୟନ୍ତୀ ରାଜି ହୋଇନଥିଲେ । ଫଳରେ ପୁଲିସ ମାମଲା ରୁଜୁ କରି ଦିଲ୍ଲୀପକୁ ଗିରଫ କରିଥିଲା ।