ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଢିମିରିଝୋଳି ଗ୍ରାମ ନିକଟ ପଥରଗଣ୍ଡ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରୁ ପ୍ରେମୀଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ଲିପୁ ମଲ୍ଲିକ ଏବଂ ପ୍ରେମିକା ପ୍ରତିମା ପ୍ରଧାନ ହୋଇଥିବା ବେଳେ ଏମାନଙ୍କ ଘର ଢିମିରିଝୋଳିରେ ବୋଲି ଜଣାପଡିଛି । ସୂଚନା ମୁତାବକ ପ୍ରତିମା ଓ ଲିପୁଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ଭିତରେ ଲିପୁ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲା । ଲିପୁ ଦଣ୍ଡଯାତ୍ରା ଦେଖିବାକୁ ପାଇଁ ଗତ କିଛି ଦିନ ପୂର୍ବରୁ ଗ୍ରାମକୁ ଫେରିଥିଲେ । ଗୁରୁବାର ମଧ୍ୟରାତ୍ରରେ ଗାଁ ନିକଟ ଝାଲିଆଗୋଛା ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲେ ଉଭୟେ । ପ୍ରତିମା ଓ ଲିପୁ ଦୁହେଁ ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ । ଘଟଣାକୁ ନେଇ ଦୁହିଁଙ୍କ ପରିବାର ଖୋଜାଖୋଜି କରିଥିଲେ । ଆଜି ଅପରାହ୍ନରେ ଢିମିରିଝୋଳି ଜଙ୍ଗଲରେ ଦୁହିଁଙ୍କ ମୃତ ଦେହ ଝୁଲୁଥିବା ଦେଖି ଗ୍ରାମର କିଛି ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରାକୁ ଜଣାଇଥିଲେ । ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପ୍ରେମିଯୁଗଳଙ୍କ ଶବକୁ ଜବତ କରିବା ସହ ତଦନ୍ତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଥିଲେ । ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଦିପ୍ତ ଦାଶ କହିଛନ୍ତି ।