26.1 C
Bhubaneswar
Wednesday, November 6, 2024
Homeଓଡିଶାପେଟ୍ରୋଲ୍ ଢାଳି ନିଆଁ ଲଗାଇବା ଘଟଣା : ଶବ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପେଟ୍ରୋଲ୍ ଢାଳି ନିଆଁ ଲଗାଇବା ଘଟଣା : ଶବ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବୟାଳିଶମୌଜା : କଟକସଦର ଅନ୍ତର୍ଗତ ବୟାଳିଶମୌଜା ଥାନା ଝାରକଟା ମଣିବାଡ଼ ଗ୍ରାମରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଗୁରୁତର ବ୍ୟକ୍ତିଙ୍କ ଗତକାଲି ମୃତ୍ୟୁ ଘଟିଥିଲା । ତାଙ୍କ ପୁଅ ଓ ପତ୍ନୀ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ଶବ ଆଜି ଗାଁରେ ପହଞ୍ଚିଥିଲା । ଶବ ପହଞ୍ଚିବା ପରେ ଗ୍ରାମରେ ଉତ୍ତେଜନା ଦେଖାଦେବା ସହ ଗ୍ରାମବାସୀ ଓ ମୃତକଙ୍କ ପରିବାରର ଅନ୍ୟ ସଦସ୍ୟ ମିଶି ରାସ୍ତାରେ ଶବ ରଖି ଆନ୍ଦୋଳନ କରିଥିଲେ ।
ସୂଚନା ଅନୁଯାୟୀ ଗତ ୧ତାରିଖରେ ଝାରକଡ଼ା ପଞ୍ଚାୟତ ମଣିବାଡ଼ ଗ୍ରାମର ରମେଶ ମଲ୍ଲିକ(୪୬) ଓ ତାଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ରାତିରେ ଘରର କବାଟ ବାହାରପଟୁ କେହି ବନ୍ଦ କରି ଝରକା ବାଟେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା । ଏଥିରେ ରମେଶଙ୍କ ସହିତ ତାଙ୍କ ସ୍ତ୍ରୀ, ପୁଅ ପୋଡ଼ିହୋଇ ଗୁରୁତର ହୋଇଥିଲେ । ତାଙ୍କୁ କଟକ ଏସ୍‌ସିବି ମେଡିକାଲ ଓ କଲେଜରେ ଭର୍ତ୍ତି କରାଯାଇଥିଲା । ଶରୀରର ୯୦ ଭାଗ ପୋଡ଼ିଯାଇଥିବା ରମେଶଙ୍କ ଗତକାଲି ମୃତ୍ୟୁ ହୋଇଯାଇଥିଲା । ଏବେ ବି ତାଙ୍କ ସ୍ତ୍ରୀ ଓ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଆଜି ରମେଶଙ୍କ ଶବ ଗାଁରେ ପହଞ୍ଚିଥିଲା । ଶବ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଗ୍ରାମବାସୀ ଓ ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିବା ରମେଶଙ୍କ ଦୁଇ ଝିଅ ଶବକୁ ରଖି ରାସ୍ତାରୋକ କରିଥିଲେ । ଦିନ ପ୍ରାୟ ୩ଟାରୁ ବୟାଳିଶମୌଜା ଥାନା ରାସ୍ତାକୁ ବହୁ ସମୟ ଧରି ଅବରୋଧ କରି ରଖିଥିଲେ । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏପରିକି ଘଟଣାକୁ ସପ୍ତାହେ ବିତିଥିଲେ ବି ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିପାରିନାହିଁ ବୋଲି ଅଭିଯୋଗ କରି ଗ୍ରାମବାସୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଆନ୍ଦୋଳନ ଖବର ପାଇ କଟକସଦର ୪ନଂ ଜୋନ୍ ଏସିପି ଚନ୍ଦନ ଘଡ଼େଇ ଓ ୪୨ମୌଜା ଥାନା ଅଧିକାରିଣୀ ଅନିତା ସାହୁ, ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ବୁଝାଶୁଝା କରିବା ସହ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ରାସ୍ତାରୋକ ହଟିଥିଲା । ରମେଶଙ୍କ ପତ୍ନୀ ଓ ପୁଅ ମେଡିକାଲ୍‌ରେ ଗୁରୁତର ଅବସ୍ଥାରେ ଥିବାରୁ ସେମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ସହିତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ ଦାବି କରିଥିଲେ ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ପୁଣି ମୁଖ୍ୟରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking