30.1 C
Bhubaneswar
Wednesday, November 6, 2024
Homeଓଡିଶାଶର୍ମିଷ୍ଠାଙ୍କୁ ବ୍ଲାକମେଲିଂ କରୁଥିଲେ ମାନସ

ଶର୍ମିଷ୍ଠାଙ୍କୁ ବ୍ଲାକମେଲିଂ କରୁଥିଲେ ମାନସ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି । ୩ ଦିନ ଧରି ଶର୍ମିଷ୍ଠା ଓ ଝୁନାଙ୍କୁ ଜେରା କରାଯିବାରୁ ଅନେକ ଗୁମର ସାମ୍ନାକୁ ଆସିଛି । ମାନସଙ୍କୁ କାହିଁକି ହତ୍ୟା କଲେ, ସେସମ୍ପର୍କରେ ଶର୍ମିଷ୍ଠା ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଆଗରେ ବଖାଣିଛି । ମେମୋରି ଚିପ୍‌କୁ ନେଇ ଶର୍ମିଷ୍ଠା ଓ ନିରଞ୍ଜନ ବ୍ୟସ୍ତବିବ୍ରତ ଥିବାବେଳେ ଏହାର ଫାଇଦା ଉଠାଉଥିଲେ ମାନସ । ମେମୋରିଚିପ୍ ନେବାକୁ ହେଲେ ୧୦ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ମାନସ ଶର୍ମିଷ୍ଠାଙ୍କୁ କହିଥିଲେ । ଟଙ୍କା ଓ କ୍ୟାମେରା ନଦେଲେ ମେମୋରି ଚିପ୍ ଦେବିନାହିଁ କହି ମାନସ ବ୍ଲାକ୍‌ମେଲିଂ କରୁଥିଲେ । ଏଥିପାଇଁ ଶର୍ମିଷ୍ଠା ଓ ନିରଞ୍ଜନ ଭୟ କରିଯାଇଥିଲେ । ମେମୋରି ଚିପ୍‌ର ଭିଡ଼ିଓ ଭାଇରାଲ୍ ହେବା ଭୟ କରି ରାତିଦିନ ଶୋଇପାରୁନଥିଲେ । ଶେଷରେ ମାନସଙ୍କୁ ଅପହରଣ କରି ମେମୋରି ଚିପ୍ ହାତେଇବାକୁ ଚେଷ୍ଟା କରିଥିଲେ । ମାତ୍ର ମାନସଙ୍କ ହତ୍ୟା ପରେ ବି ମେମୋରି ଚିପ୍ ମିଳିନଥିଲା । ତେଣୁ ମାନସଙ୍କ ହିଁ ମେମୋରିଚିପ୍ କେଉଁଠି ଲୁଚାଇ ରଖିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ତେବେ ଏହି ଚିପ୍‌ରେ କ’ଣ ଅଛି ତାହା କ୍ରାଇମ୍‌ବ୍ରାଞ୍ଚ କହୁନାହିଁ । ଯେଉଁ ଚିପ୍ ପାଇଁ ମାନସଙ୍କୁ ସେମାନେ ହତ୍ୟା କରିବା ପର୍ଯ୍ୟନ୍ତ କଥା ଗଲା, ସେହି ଚିପ୍‌ରେ କ’ଣ ଅଛି ତାହା ଶର୍ମିଷ୍ଠା ନିଶ୍ଚୟ କ୍ରାଇମ୍‌ବ୍ରାଞ୍ଚକୁ କହିଥିବେ । କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏ ସଂପର୍କରେ କିଛି କୁହାଯାଇ ନାହିଁ । ତେଣୁ ଚିପ୍‌ରେ କ’ଣ ଥିଲା ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । କ୍ରାଇମ୍‌ବ୍ରାଞ୍ଚ ଏ ସଂପର୍କରେ କାହିଁକି ନିରବ ରହୁଛି ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।
ସୂଚନା ଅନୁଯାୟୀ, ଜାନୁଆରୀ ୧୦ ତାରିଖ ଠାରୁ ମାନସ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମରେ ରହୁଥିଲେ । ସେ ମେମୋରି ଚିପ୍ ପାଖରେ ରଖି ମଧ୍ୟ ଦେଉନଥିଲେ । ଜାନୁଆରୀ ୩୦ତାରିଖରେ ଶର୍ମିଷ୍ଠା ଏବଂ ନିରଞ୍ଜନ ମାନସଙ୍କୁ ‘ସଂପୂର୍ଣ୍ଣ’ ଅଫିସ୍‌କୁ ଡକାଇଥିଲେ । ସେଠାରେ ଉଭୟ ତାଙ୍କୁ ମେମୋରି ଚିପ୍ ମାଗିଥିଲେ । ମାତ୍ର ମାନସ ଚିପ୍ ନଦେବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ । ଅଫିସ ଭିତରେ ମାଡ଼ ମାରି ତାଙ୍କୁ ଦୟାଲ ଆଶ୍ରମକୁ ନେଇଥିଲେ । ଦୟାଲ ଆଶ୍ରମରେ ମାନସଙ୍କ ଠାରୁ ତାଙ୍କ କ୍ୟାମେରା ସେମାନେ ଛଡ଼ାଇ ନେଇଥିଲେ । ଘଟଣା ପରଦିନ ଠାରୁ ମାନସ ଦୟାଲ ଆଶ୍ରମ ଛାଡ଼ି ଭୁବନେଶ୍ୱରର ଭିନ୍ନ ଭିନ୍ନ ସ୍ଥାନରେ ରହିଥିଲେ । ଭୁବନେଶ୍ୱରରେ ରହି ସେ ମେମୋରି ଚିପ୍ ବଦଳରେ ଶର୍ମିଷ୍ଠାଙ୍କ ଠାରୁ ୧୦ ହଜାର ଟଙ୍କା ଏବଂ କ୍ୟାମେରା ଦାବି କରିଥିଲେ । ତେବେ ଫେବୃୟାରୀ ୫ ତାରିଖରେ ସହଯୋଗୀ ଦୀପକଙ୍କ ସହ ମାନସ ବାହାଘର ସୁଟିଂ ପାଇଁ ଭଦ୍ରକ ଚାନ୍ଦବାଲିକୁ ଯାଇଥିଲେ । ଏସମ୍ପର୍କରେ ଖବର ପାଇ ଶର୍ମିଷ୍ଠା ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ପଳାସପୁର ଗ୍ରାମରୁ ମାନସଙ୍କୁ ଅପହରଣ କରି ନିଜ କାର୍‌ରେ ଦୟାଲ ଆଶ୍ରମକୁ ନେଇ ଆସିଥିଲେ ।
ଅନ୍ୟପକ୍ଷରେ ମେମୋରି ଚିପ୍ ପାଇବା ଉଦ୍ଦେଶ୍ୟରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ନୟାଗଡ଼ ରଣପୁର ଥାନା ଗୋଡ଼ିପୋଖରୀସ୍ଥିତ ପୈତୃକ ଘରେ ଖୋଜାଖୋଜି କରିଥିଲା । ହେଲେ ସେଠାରୁ ମେମୋରି ଚିପ୍ ମିଳିନଥିଲା । ଏଥିସହ ଜାନୁଆରୀ ୩୧ ତାରିଖରୁ ଅପହରଣ ହେବା ପର୍ଯ୍ୟନ୍ତ ମାନସ ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ, ସେହି ସବୁ ସ୍ଥାନକୁ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଯାଞ୍ଚ କରୁଛି । ହେଲେ ଏଯାବତ୍ ଉକ୍ତ ମେମୋରି ଚିପ୍ କ୍ରାଇମବ୍ରାଞ୍ଚ ଟିମ୍ ପାଇନାହିଁ । ସେପଟେ ହତ୍ୟା ମାମଲାରେ ଅଧିକ ତଦନ୍ତ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ କ୍ରାଇମବ୍ରାଞ୍ଚ ଘନଘନ ଜେରା କରିଛି । ବୁଧବାର ସେମାନଙ୍କ ରିମାଣ୍ଡ ଅବଧି ସରିଯାଇଥିବାରୁ ଗୁରୁବାର ଦିନ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking