ଦୁବାଇ: ଆଇସିସି ପକ୍ଷରୁ ବୁଧବାର ତାଜା ଦିନିକିଆ ର୍ୟାଙ୍କିଙ୍ଗ୍ ଜାରି କରାଯାଇଛି । ବ୍ୟାଟିଂ ତାଲିକାର ଶୀର୍ଷ ୧୦ରେ ଦୁଇଜଣ ଭାରତୀୟ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ରହିଛନ୍ତି । ସେହିପରି ବୋଲିଂ ତାଲିକାର ଶୀର୍ଷ ୧୦ରେ ଜସ୍ପ୍ରୀତ୍ ବୁମ୍ରା ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ଭାରତୀୟ ଖେଳାଳିଙ୍କ ର୍ୟାଙ୍କିଙ୍ଗ୍ରେ କୌଣସି ପରିବର୍ତ୍ତନ ଘଟିନଥିବା ବେଳେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଇମାମ୍ ଉଲ୍ ହକ୍ ଏବଂ ଫାଷ୍ଟ୍ ବୋଲର୍ ଶାହିନ୍ ଆଫ୍ରିଦିଙ୍କୁ ଜବରଦସ୍ତ ଲାଭ ମିଳିଛି ।
ପାକିସ୍ତାନ କ୍ୟାପ୍ଟେନ୍ ବାବର୍ ଆଜମ୍ ଓ ବିରାଟ କୋହଲି ଯଥାକ୍ରମେ ପ୍ରଥମ ଦୁଇଟି ସ୍ଥାନରେ ଥିବା ବ୍ୟାଟିଂ ସୂଚୀରେ ଇମାମ୍ ସାତଟି ସ୍ଥାନର ଉନ୍ନତି ସହ ତୃତୀୟରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ଭାରତୀୟ କ୍ୟାପ୍ଟେନ୍ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ସ୍ଥିର ରହିଛନ୍ତି । ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ଆରୋନ୍ ଫିଞ୍ଚ୍ (୧୦ମ) ଓ ନିକଟରେ ସନ୍ନ୍ୟାସ ନେଇଥିବା ନ୍ୟୁଜିଲାଣ୍ଡର ରସ୍ ଟେଲର୍ (୬ଷ୍ଠ)ଙ୍କୁ ତିନିଟି ଲେଖାଏଁ ସ୍ଥାନର କ୍ଷତି ହୋଇଛି ।
ବୋଲିଂ ସୂଚୀରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ୍ ବୋଲ୍ଟ ପୂର୍ବପରି ଶୀର୍ଷରେ ଥିବାବେଳେ ଇଂଲଣ୍ଡର୍ କ୍ରିସ୍ ୱକ୍ସ ଗୋଟିଏ ସ୍ଥାନର ଉନ୍ନତି ସହ ଅଷ୍ଟ୍ରେଲିଆର ଜୋଶ୍ ହେଜଲ୍ଉଡ୍ଙ୍କୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନ୍ରୀ ଚତୁର୍ଥ, ଆଫଗାନିସ୍ତାନର ମୁଜୀବ୍ ଉର୍ ରହମାନ ପଞ୍ଚମ ଓ ଭାରତୀୟ ପେସର୍ ଜସ୍ପ୍ରୀତ ବୁମ୍ରା ଷଷ୍ଠ ସ୍ଥାନରେ ସ୍ଥିର ରହିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନୀ ପେସର୍ ଆଫ୍ରିଦି ଆଠଟି ସ୍ଥାନର ଉନ୍ନତି ସହ ୧୫ରୁ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ବାଂଲାଦେଶର ମେହଦୀ ହସନ୍ ମିରାଜ୍, ସାକିବ୍ ଉଲ୍ ହକ୍ ଓ ଆଫଗାନିସ୍ତାନର ରଶିଦ୍ ଖାନ୍ ଯଥାକ୍ରମେ ଅଷ୍ଟମରୁ ଦଶମ ସ୍ଥାନରେ ରହିଛନ୍ତି । ଏହି ତିନି ବୋଲର୍ଙ୍କୁ ଗୋଟିଏ ଲେଖାଏଁ ସ୍ଥାନ କ୍ଷତି ସହିବାକୁ ପଡ଼ିଛି ।
ଟେଷ୍ଟ ର୍ୟାଙ୍କିଙ୍ଗ୍:
ଅନ୍ୟପକ୍ଷରେ ପ୍ୟାଟ୍ କମିନ୍ସ ଏବଂ ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଆଇସିସିର ଟେଷ୍ଟ ବୋଲିଂ ସୂଚୀରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ବୁମ୍ରାଙ୍କୁ ଏଥିରେ ଗୋଟିଏ ସ୍ଥାନର ଲାଭ ମିଳିଛି ଏବଂ ସେ ଚତୁର୍ଥରୁ ତୃତୀୟ ସ୍ଥାନକୁ ଉଠିଛନ୍ତି । ଫଳରେ ସାଉଥ୍ ଆଫ୍ରକାର କାଗିସୋ ରବାଡା ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସିଯାଇଛନ୍ତି । ଅନ୍ୟପକ୍ଷରେ ପାକ୍ ପେସର୍ ଶାହିଦ୍ ଆଫ୍ରିଦି ଗୋଟିଏ ସ୍ଥାନର ଉନ୍ନତି ସହ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଟେଷ୍ଟ ବ୍ୟାଟିଂ ସୂଚୀରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାର୍ନସ୍ ଲାବୁଶେନ୍ ପ୍ରଥମ ସ୍ଥାନରେ ବଜାୟ ଥିବାବେଳେ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା ଅଷ୍ଟମ ଓ ବିରାଟ କୋହଲି ଦଶମ ସ୍ଥାନ ସହ ଶୀର୍ଷ ୧୦ରେ ରହିଛନ୍ତି । ଅଲ୍ରାଉଣ୍ଡର୍ ସୂଚୀରେ ମଧ୍ୟ ରବୀନ୍ଦ୍ର ଜାଡେଜା ପୂର୍ବପରି ଶୀର୍ଷରେ ଥିବାବେଳେ ଆର୍ ଅଶ୍ୱିନ ଦ୍ୱିତୀୟ ଏବଂ ୱେଷ୍ଟ୍ଇଣ୍ଡିଜ୍ର ଜେସନ୍ ହୋଲ୍ଡର୍ ତୃତୀୟ ସ୍ଥାନରେ ରହିଛନ୍ତି ।