29.1 C
Bhubaneswar
Monday, November 18, 2024
Homeଖେଳଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ପୁରସ୍କାର : ଦୌଡ଼ରେ ବାବର୍‌, ବ୍ରାଥ୍‌ୱେଟ୍ ଓ କମିନ୍ସ

ଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ପୁରସ୍କାର : ଦୌଡ଼ରେ ବାବର୍‌, ବ୍ରାଥ୍‌ୱେଟ୍ ଓ କମିନ୍ସ

ଦୁବାଇ: ପାକିସ୍ତାନ କ୍ୟାପ୍‌ଟେନ୍ ବାବର୍ ଆଜମ୍‌, ୱେଷ୍ଟଇଣ୍ଡିଜ୍‌ର କ୍ରେଗ୍ ବ୍ରାଥ୍‌ୱେଟ୍ ଏବଂ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କୁ ମାର୍ଚ୍ଚ ମାସରେ ସେମାନଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ଆଇସିସି ମାନର ଶ୍ରେଷ୍ଠ ପୁରୁଷ ଖେଳାଳି ନିମନ୍ତେ ସେମାନଙ୍କ ନାମ ମନୋନୀତ କରିଛି । ମହିଳା ବିଭାଗରେ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ଇଂଲଣ୍ଡ ବୋଲର୍ ସୋଫି ଏକ୍ଲେଷ୍ଟୋନ୍‌, ଅଷ୍ଟ୍ରେଲିଆର ରନ୍ ମେସିନ୍ ରାଚେଲ୍ ହେନ୍ସ ଓ ସାଉଥ୍ ଆଫ୍ରିକାର ଲାରା ୱଲ୍‌ଭାର୍ଡ ପୁରସ୍କାର ଦୌଡ଼ରେ ରହିଛନ୍ତି । ବିଜେତାଙ୍କ ନାମ ଆସନ୍ତା ସପ୍ତାହରେ ଘୋଷଣା କରାଯିବ । ବାବର୍ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ କରିଥିଲେ । ସେ ଟେଷ୍ଟ ସିରିଜ୍‌ରେ ମଧ୍ୟ ୩୯୦ ରନ୍ କରିଥିଲେ, ଯାହା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍‌ରେ ରେକର୍ଡ ୧୯୬ ରନ୍‌ର ଇନିଂସ୍ ମଧ୍ୟ ସାମିଲ ଥିଲା । ତାଙ୍କର ଏହି ରେକର୍ଡ ଇନିଂସ୍ ସହାୟତାରେ ପାକିସ୍ତାନ ମ୍ୟାଚ୍ ଡ୍ର’ କରିବାରେ ସଫଳ ହୋଇଥିଲା । ସେହିପରି ମାର୍ଚ୍ଚମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଦିନିକିଆ ମ୍ୟାଚ୍‌ରେ ୫୭ ଓ ୧୧୪ ରନ୍ କରି ଟିମ୍‌ର ବ୍ୟାଟିଂକୁ ଶକ୍ତି ଦେଇଥିଲେ । ଦ୍ୱିତୀୟ ଦିନିକିଆରେ ତାଙ୍କ ଶତକୀୟ ଇନିଂସ୍ ବଳରେ ପାକିସ୍ତାନ ୩୪୯ ରନ୍ ଲକ୍ଷ୍ୟର ସଫଳତାପୂର୍ବକ ପିଛା କରିଥିଲା । ସେହିପରି ସେ ଦ୍ୱିତୀୟ ଥର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ ୨୦୨୧ ଏପ୍ରିଲ୍‌ରେ ଏହି ପୁରସ୍କାର ଜିତିଥିଲେ ।
ଇଂଲଣ୍ଡ ବିପକ୍ଷରେ ନିକଟରେ ଶେଷ ହୋଇଥିବା ଟେଷ୍ଟ୍ ସିରିଜ୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ବ୍ରାଥ୍‌ୱେଟ୍ ୮୫.୨୫ ହାରରେ ୩୪୧ ରନ୍ କରିଥିଲେ । ଏହି ଅବସରରେ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ବୃହତ୍ ସ୍କୋର୍ ଜବାବରେ ୪୮୯ ବଲ୍‌ରେ ୧୬୦ ରନ୍ କରି ମ୍ୟାଚ୍ ଡ୍ର’ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଅନ୍ୟପକ୍ଷରେ କମିନ୍ସ ପାକିସ୍ତାନରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ରେ ବିପରୀତ ପରିସ୍ଥିତିରେ ମଧ୍ୟ ନିଜ ବୋଲିଂ ପ୍ରତିଭାର ପ୍ରଦର୍ଶନ କରିଥିଲେ । ବ୍ୟାଟିଂ ପିଚ୍‌ରେ ତୃତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୫୬ ରନ୍‌ରେ ୫ଟି ସହ ଦ୍ୱିତୀୟ ଇନିଂସ୍‌ରେ ୨୩ ରନ୍ ଦେଇ ତିନିଟି ୱିକେଟ୍ ନେଇ ଟିମ୍‌ର ବିଜୟ ସୁନିଶ୍ଚିତ କରିଥିଲେ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨୨.୫୦ ହାରରେ ୧ଟି ୱିକେଟ୍ ନେବା ଫଳରେ ସେ ପ୍ରଥମ ଥର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
ମହିଳା ବିଭାଗରେ ଏକ୍ଲେଷ୍ଟୋନ୍‌ଙ୍କୁ ତାଙ୍କ ଉତ୍କୃଷ୍ଟ ବୋଲି ପ୍ରଦର୍ଶନ କାରଣରୁ ଦ୍ୱିତୀୟ ଥର ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଇଂଲଣ୍ଡକୁ ବିଶ୍ୱକପ୍ ଫାଇନାଲ୍‌ରେ ପହଞ୍ଚାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହି ମାସରେ ସେ ୧୨.୮୫ ହାରରେ ୨୦ ୱିକେଟ୍ ନେଇଛନ୍ତି । ସେହିପରି ହେନ୍ସ ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜୟରେ ଅଗ୍ରଣୀ ଭୂମିକା ତୁଲାଇଥିଷଲ । ସେ ଆଠଟି ମ୍ୟାଚ୍‌ରୁ ହାରହାରି ୬୧.୨୮ ସହ ୮୪.୨୮ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ ୪୨୯ ରନ୍ କରି ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ସର୍ବାଧିକ ସ୍କୋରର୍ ହୋଇଥିଲେ । ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକାକୁ ସେମିଫାଇନାଲ୍ ପର୍ଯ୍ୟନ୍ତ ନେବାରେ ୱାଲ୍‌ଭାର୍ଡଙ୍କ ଅବଦାନ ଅତୁଳନୀ ଥିଲା । ସେ ୫୪.୧୨ ହାରରେ ପାଞ୍ଚଟି ଅର୍ଦ୍ଧଶତକ ସହ ୪୩୩ ରନ୍ କରି ଟୁର୍ଣ୍ଣାମେଣ୍ଟ୍‌ରେ ସର୍ବାଧିକ ସ୍କୋରର୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking