ଭୁବନେଶ୍ୱର: ୬ବର୍ଷରେ ୧୧ରୁ ଉର୍ଦ୍ଧ୍ୱ ଛିନ୍ତାଇ ମାମଲା ରହିଛି । ଜେଲରୁ ଫେରି ପୁଣି ଛିନତାଇ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣେ ପେସାଦାର ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଏୟାରପୋର୍ଟ ଥାନା ଅନ୍ତର୍ଗତ ଭୀମପୁରରେ ରହୁଥିବା କଟକ ବଡମ୍ବାର ଲିଟୁ ଓରଫ୍ ଅଶିମ୍ କୁମାର ସାହୁ(୨୪) । ତା’ ନାମରେ କେବଳ ଭୁବନେଶ୍ୱରର ବିଭିନ୍ନ ଥାନାରେ ରହିଛି ୧୧ଟି ମାମଲା । ଜାମିନ ଖାରଜ ହେବାରୁ ତାକୁ ପୁଣି ଜେଲ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଗତ ଜାନୁଆରୀ ୭ତାରିଖରେ ଅଭିଯୋଗକାରୀ ପୁରୁଣା ଏୟାରପୋର୍ଟ ଆଡୁ ନୂଆ ଏୟାରପୋର୍ଟ ଛକକୁ ଯାଉଥିବା ସମୟରେ ଲିଟୁ ପୂର୍ବରୁ ଗିରଫ ହୋଇଥିବା ତା’ର ଜଣେ ସହଯୋଗୀଙ୍କ ସହ ମିଶି ଅଭିଯୋଗକାରୀଙ୍କ ମୋବାଇଲ ଫୋନକୁ ଝାମ୍ପି ନେଇ ପଳାଇଥିଲା । ଏ ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହେବାରୁ ପୁଲିସ ଗତ ଫେବୃୟାରୀ ୧୭ ତାରିଖରେ ଅଭିଯୁକ୍ତ ଅକ୍ଷୟଙ୍କୁ ଗିରଫ କରିବା ସହିତ ମୋବାଇଲ ଫୋନକୁ ଜବତ କରିଥିଲେ ହେଁ ଲିଟୁ ଫେରାର ଥିଲା । ସୋମବାର ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଲିଟୁକୁ ତା’ ଘରୁ ଗିରଫ କରିଥିଲା । ଲିଟୁ ନାମରେ ୨୦୧୬ ରୁ ୨୦୨୨ମସିହା ମଧ୍ୟରେ ଖଣ୍ଡଗିରି ଥାନାରେ ୩ଟି, ବଡଗଡ ଥାନାରେ ୨ ଟି, ସହିଦନଗର, ଶ୍ରୀ ଲିଙ୍ଗରାଜ, କ୍ୟାପିଟାଲ, ଏୟାରଫିଲ୍ଡ,, ଚନ୍ଦ୍ରଶେଖରପୁର, ଏୟାରପୋର୍ଟ ଥାନା ଗୁଡ଼ିକରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଜଣକ ଏହିପରି ଭାବରେ ଅପରାଧରେ ସମ୍ପୃକ୍ତ ଥିବାରୁ ସିଆରପିସି-୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପଦେକ୍ଷେପ ନିଆଯାଉଛି ।