20.1 C
Bhubaneswar
Monday, November 18, 2024
Homeଓଡିଶା୨ ବର୍ଷ ପରେ ଲୋକେ ଦେଖିବେ ‘ସାହିଯାତ’

୨ ବର୍ଷ ପରେ ଲୋକେ ଦେଖିବେ ‘ସାହିଯାତ’

ପୁରୀ: ୨ବର୍ଷ ହେଲା ଲୋକେ ଦେଖିପାରୁନଥିଲେ ଶ୍ରୀକ୍ଷେତ୍ର ଜାଗା ଆଖଡ଼ାର ପାରମ୍ପରିକ ନୃତ୍ୟ ତଥା ସମରକଳା । ମହାମାରୀ ପାଇଁ ଫିକା ପଡ଼ିଥିଲା ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ‘ସାହିଯାତ’ । ମହାପ୍ରଭୁଙ୍କ ନୀତି ହେଉଥିଲେ ମଧ୍ୟ ପ୍ରତିବର୍ଷ ଭଳି ମହୋତ୍ସବର ମଜା ନେଇପାରୁନଥିଲେ ସ୍ଥାନୀୟ ବାସିନ୍ଦା କି ପର୍ଯ୍ୟଟକ । ହେଲେ ଚଳିତବର୍ଷ ପୂର୍ବଭଳି ପାଳନ ହେବ ପରମ୍ପରା । ସାହି ସାହିରେ ପାରମ୍ପରିକ ନୃତ୍ୟ ସହ ସମରକଳା ପ୍ରଦର୍ଶନ ହେବ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର । ଏଣୁ ସାହି ମୁରବି ଓ ଯୁବପିଢ଼ିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ସାହି ଆଖଡ଼ାରେ ସଭା ହେଉଥିଲାବେଳେ ଜାଗା ପରିସରରେ ଚାଲିଛି ଅଭ୍ୟାସ ।

ମଙ୍ଗଳବାର ସୁନ୍ଦରା ଜାଗା ପରିସରରେ ୮ସାହି ଜାଗା ଆଖଡ଼ା ମୁରବିଙ୍କ ବୈଠକ ହେବ । ଆସନ୍ତା ୧୦ତାରିଖ ରବିବାର କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ପ୍ରସ୍ତାବ ଆଗତ ହୋଇ ସାଥୀ ସାହି ମାଟିମଣ୍ଡପ ସାହି ଯିବେ । ୧୧ ତାରିଖ ସୋମବାର ହରଚଣ୍ଡୀ ସାହିରୁ ଯଜ୍ଞରକ୍ଷା ଓ ନାକକାନ ପ୍ରସ୍ତାବ ଆଗତ ହେବ । ୧୨ ତାରିଖ ମଙ୍ଗଳବାର ହରଚଣ୍ଡୀ ସାହି ପକ୍ଷରୁ ସୀତାବିବାହ ଓ ପର୍ଶୁରାମ ପ୍ରସ୍ତାବ ଆଗତ ହୋଇ ସାଥିସାହି ବାଲିସାହି ଆସିବ । ୧୩ତାରିଖ ବୁଧବାର ମାର୍କଣ୍ଡେଶ୍ୱର ସାହିଆଙ୍କ ବନବାସ ପ୍ରସ୍ତାବ । ୧୫ତାରିଖ ଶୁକ୍ରବାର ସୀତାଚୋରି ପ୍ରସ୍ତାବ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ବାହାରି ସାଥି ସାହି ଦୋଳମଣ୍ଡପ ସାହି ଯିବେ । ୧୬ତାରିଖ ଶନିବାର ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡ଼ି ପ୍ରସ୍ତାବ ଆଗତ ହୋଇ କୁଣ୍ଢେଇବେଣ୍ଟ ସାହି ଯିବେ । ୧୭ତାରିଖ ରବିବାର ବାଲିସାହିଆଙ୍କ ପକ୍ଷରୁ ରାବଣଙ୍କ ସେତୁବନ୍ଧ ପ୍ରତିଷ୍ଠା ପ୍ରସ୍ତାବ ଓ ୧୮ତାରିଖ ସୋମବାର ରାବଣ ବଧ ପ୍ରସ୍ତାବ ସହ ସାହିଯାତ ହରଚଣ୍ଡୀ ସାହି ପ୍ରଦକ୍ଷଣ କରିବ । ୨୪ତାରିଖ ରବିବାର ଗୌଡ଼ବାଡ଼ ସାହି ପକ୍ଷରୁ ଶ୍ରୀରାମାଭିଷେକ ଉତ୍ସବ ଅନୁଷ୍ଠିତ ହୋଇ ସାହିଯାତ ସମ୍ପନ୍ନ ହେବ । ଏପ୍ରିଲ ୧୦ତାରିଖ ରବିବାର ପବିତ୍ର ରାମଜନ୍ମରୁ ଆରମ୍ଭ ହେବ ସାହିଯାତ ।

ଏଣୁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ରର ଜାଗା-ଆଖଡ଼ା । ପାରମ୍ପରିକ ବାଦ୍ୟ-ନୃତ୍ୟରେ କମ୍ପୁଛି ଜାଗା ଘର । ସକାଳେ ଓ ଅପରାହ୍ଣରେ ଜାଗା ସାଙ୍ଗମାନେ ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି । ବାଜାର ତାଳେ ତାଳେ ରାବଣ, ସପ୍ତଶିରା, ନାଗା, ମେଢ଼ ଆଦି ନୃତ୍ୟ ଅଭ୍ୟାସ ଚାଲିଛି । ବାଡ଼ିଖେଳ, ନିଆଁ ବନାଟି, ଖଣ୍ଡା ଚାଳନା ସହ ପିରାମିଡ୍ ଆଦିରେ ମନ ଦେଇଛନ୍ତି ଯୁବକମାନେ । ଅନ୍ୟପଟେ ଜିଲ୍ଲାପାଳଙ୍କ ସହ ବୈଠକରେ ସରକାରୀ ପ୍ରୋତ୍ସାହନ ମଧ୍ୟ ପ୍ରତିଶ୍ରୁତି ମିଳିଛି । ୮ସାହିର ଜାଗା ଆଖଡ଼ା ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ ସାହିଯାତ । ମହାପ୍ରଭୁଙ୍କ ଶ୍ରୀରାମ ଲୀଳା ନୀତି ସମ୍ପନ୍ନ କରିବେ ସାହିଆମାନେ । ଜାଗା ଆଖଡ଼ାର କଳାକାରମାନେ ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶନ କରିବେ । ବଡ଼ଦାଣ୍ଡ ଜଗନ୍ନାଥବଲ୍ଲଭ ମଠ ପରିସରରେ ଠାକୁରଙ୍କ ନୀତି ସମ୍ପାଦନ ହେବ । ଶହ ଶହ ବର୍ଷର ଏହି ଅନନ୍ୟ ପରମ୍ପରାକୁ ଶୃଙ୍ଖଳିତ କରିବାକୁ ଆଠସାହି ମୁରବିଙ୍କ ବୈଠକ ହେବ । ଠାକୁରଙ୍କ ନୀତି ପାଳନ ସହ ଜାଗା ଆଖଡ଼ାର କଳାକାରମାନେ ନିଜ ନିଜର ସାଥୀ (ପୂର୍ବରୁ ଥିଲା ବାଦୀ) ସାହିରେ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିବେ । ତେବେ ଭଙ୍ଗା ଦଦରା ରାସ୍ତା ନେଇ ମୁରବିମାନଙ୍କ ଚିନ୍ତା ରହିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବାଲିସାହି ଆଖଡ଼ାର ସମ୍ପାଦକ ନରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking