ନୂଆଦିଲ୍ଲୀ: ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନକୁ ପ୍ରବଳ ବିରୋଧ କରାଯାଇଥିଲା ବୋଲି ଉତ୍ତରପ୍ରଦେଶ ସରକାର ଆଜି ସୁପ୍ରିମ୍କୋର୍ଟରେ କହିଛନ୍ତି। ସରକାର ଜାମିନ ଆବେଦନକୁ ବିରୋଧ କରି ନ ଥିଲେ, ଭିଆଇପିଙ୍କୁ ସାତଖୁଣ ମାଫ ଏବଂ ସାକ୍ଷୀଙ୍କୁ ସୁରକ୍ଷା ମିଳୁନି ବୋଲି ଲଖିମପୁର ଖେରୀ ହିଂସାରେ ନିହତ କୃଷକଙ୍କ ପରିବାର କରିଥିବା ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟରେ ଆଶିଷ ମିଶ୍ରଙ୍କ ଜାମିନକୁ ରାଜ୍ୟ ସରକାର ବିରୋଧ କଲେ ନାହିଁ ବୋଲି ହେଉଥିବା ଅଭିଯୋଗ ଠିକ୍ ନୁହେଁ, ସରକାର ଜାମିନକୁ ଘୋର ବିରୋଧ କରିଥିଲେ ବୋଲି ସୁପ୍ରିମ୍କୋର୍ଟରେ ରାଜ୍ୟ ସରକାର ନିଜ ପକ୍ଷ ରଖିଛନ୍ତି। ଲଖିମପୁର ଖେରୀ ଘଟଣାର ଜଣେ ସାକ୍ଷୀ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ଉପରେ ରାଜ୍ୟ ସରକାର କହିଥିଲେ ଯେ, ହୋଲିରେ ରଙ୍ଗ ଫୋପାଡ଼ିବା ପରି ଏକ ବ୍ୟକ୍ତିଗତ ବିବାଦରୁ ଏହି ଆକ୍ରମଣ ହୋଇଥିଲା। ସୂଚନାଯୋଗ୍ୟ, ଆଲ୍ଲାହାବାଦ ହାଇକୋର୍ଟ ମଞ୍ଜୁର କରିଥିବା ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ଖାରଜ କରିବା ପାଇଁ ପୀଡ଼ିତଙ୍କ ପରିବାରଗୁଡ଼ିକ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ପ୍ରଧାନବିଚାରପତି ଏନ୍ଭି ରମଣା, ଜଷ୍ଟିସ୍ ସୂର୍ୟ୍ୟ କାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ବୁଧବାର ଶୁଣାଣି କରିବେ। କାହିଁକି ଜାମିନ ଖାରଜ କରାଯିବ ନାହିଁ ବୋଲି ଜବାବ ଦେବାକୁ କୋର୍ଟ ମାର୍ଚ୍ଚ ୧୬ ତାରିଖରେ ଆଶିଷ ମିଶ୍ରଙ୍କ ପରିବାର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଥିଲେ।