17.1 C
Bhubaneswar
Tuesday, November 26, 2024
Homeଓଡିଶାରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଶାସକ ବିଜେଡି ରାଜ୍ୟ ସଭାପତିଙ୍କୁ ଅଫିସରମାନେ ଭେଟି
ପୈାର ଓ ପଂଚାୟତ ଫଳାଫଳ ପାଇଁ ଶୁଭେଚ୍ଛା ଜଣାଇବା ପ୍ରସଙ୍ଗରେ
ରାଜ୍ୟରେ ସାମ୍ବିଧାନିକ ସଂକଟ ଦେଖାଦେଇଛି : ବିଜେପି
 ହସ୍ତକ୍ଷେପ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ବିଜେପିର ଦାବୀ
 ଚଳିତ ପଂଚାୟତ ଓ ପୈାର ନିର୍ବାଚନରେ ଶାସକ ବିଜେଡି ପ୍ରତି ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ଆନୁଗତ୍ୟ ପ୍ରଦର୍ଶନ ସମସ୍ତ ସୀମା ଅତିକ୍ରମ କରିଯାଇଛି
ଭୁବନେଶ୍ୱର,  : ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକାକୁ ଲୋକଙ୍କ ସେବା ପାଇଁ ବିଶେଷ ଅଧିକାର ଦିଆଯାଇଛି ଏବଂ ସେଥିପାଇଁ ସେମାନଙ୍କ ଠାରୁ ନିରପେକ୍ଷତା ଆଶା କରାଯାଏ । ସେମାନଙ୍କ ନିରପେକ୍ଷତା ହିଁ ଗଣତନ୍ତ୍ରକୁ ସୁଦୃଢ କରେ । ରାଜ୍ୟରେ ଶାସକ ବିଜେଡି ଏବଂ ପ୍ରଶାସନିକ ବ୍ୟବସ୍ଥା ଭିତରେ ଥିବା ମଧୁଚନ୍ଦ୍ରିକା ଆଜି ପଦାରେ ପଡିଛି । ଉଭୟ ଭାରତୀୟ ଏବଂ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀମାନେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସମର୍ଥନରେ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଶେଷ ଭାବେ କୈାଣସି ନିର୍ବାଚନରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନେ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରି ତାଙ୍କ ପାଇଁ ଭୋଟ ହାତେଇବାର ପ୍ରଚେଷ୍ଟା ଗଣତନ୍ତ୍ର ପାଇଁ ଆଦୈା ଶୁଭଙ୍କର ନୁହେଁ । ମାତ୍ର ଚଳିତ ପଂଚାୟତ ଓ ପୈାର ନିର୍ବାଚନରେ ଶାସକ ବିଜେଡି ପ୍ରତି ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ଆନୁଗତ୍ୟ ପ୍ରଦର୍ଶନ ସମସ୍ତ ସୀମା ଅତିକ୍ରମ କରିଯାଇଛି । ଯାହା ଫଳରେ ଆଜି ରାଜ୍ୟରେ ସାମ୍ବିଧାନିକ ସଂକଟ ଦେଖାଦେଇଛି ବୋଲି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ।
ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ସହିତ ସର୍ଭିସ ରୁଲ୍‌କୁ ଅମାନ୍ୟ କରି ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିଥିବା ଉଭୟ ଭାରତୀୟ ଓ ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
ପୈାର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି ସତ, କିନ୍ତୁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଲାଗୁ ଅଛି । ଏଭଳି ସମୟରେ ପ୍ରଶାସନିକ ଅଧିକାରୀମାନେ ସାମୁହିକ ଭାବେ ନିଜ ନିଜ ସର୍ଭିସ ରୁଲ୍‌କୁ ଭୁଲିଯାଇ ପଂଚାୟତ ଓ ପୈାର ନିର୍ବାଚନରେ ଶାସକ ବିଜେଡିର ସଫଳତା ପାଇଁ ବିଜେଡି ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ନିର୍ବାଚନ ପରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଡିଜିପି, ଏଡିଜି-ପୋଲିସ୍‌, କଟକ-ଭୁବନେଶ୍ୱର ପୋଲିସ କମିଶନରଙ୍କ ସମେତ ଓଡିଶା ଫାଇନାନ୍‌ସ ସର୍ଭିସେସ୍ ଆସୋସିଏସନ୍‌, ପୋଲିସ ସେବା ଆସୋସିଏସନ୍‌, ଓଡିଶା ସଚିବାଳୟ ସେବାସଂଘ, ରାଜସ୍ୱ ସେବା ସଂଘ, କନଷ୍ଟେବଳ ଏବଂ ହାବିଲଦାର ଆସୋସିଏସନ, ବିଭାଗ ମୁଖ୍ୟ ସଂଘ, ମେଡିକାଲ ସର୍ଭିସ ଆସୋସିଏସନ, ପଂଚାୟତ କାର୍ଯ୍ୟନିର୍ବାହୀ ସଂଘ, ଗ୍ରାମ ରୋଜଗାର ସେବା ଆସୋସିଏସନ, ଡ୍ରାଇଭର ଆସୋସିଏସନ ଇତ୍ୟାଦି ତଥା ଅନ୍ୟାନ୍ୟ ବରିଷ୍ଠ ଆଇଏଏସ, ଆଇପିଏସ ଏବଂ ଓଡିଶା ଫାଇନାନ୍ସ ସର୍ଭିସ ଅଧିକାରୀମାନେ ବିଜେଡିର ବିଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଯାହା ଓଡିଶା ପ୍ରଶାସନିକ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା ସହିତ ଗଣତାନ୍ତ୍ରୀକ ବିଧିବ୍ୟବସ୍ଥାକୁ ଦୋହଲାଇ ଦେଇଛି । । ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଉପରେ ଓଡିଶାବାସୀ ଆସ୍ଥା ହରାଇ ବସିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଚଳିତ ପଂଚାୟତ ଏବଂ ପୈାର ନିର୍ବାଚନ ସମୟରେ ବିଜେପି ତରଫରୁ ନିର୍ବାଚନ ପରିଚାଳନାରେ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ବହୁ ସରକାରୀ ଅଧିକାରୀମାନେ ଶାସକ ବିଜେଡି ସପକ୍ଷରେ ପ୍ରତ୍ୟକ୍ଷ ଭାବେ ପ୍ରଚାର କରୁଥିବାର ଅଭିଯୋଗ କରାଯାଇଥିଲା । ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରରୋଚନାରେ ବିଜେପି ସମେତ ବିରୋଧୀ ଦଳର କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଅକ୍ରମଣ କରାଯାଇଥିଲା, ମାତ୍ର ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ବହୁ ଦୂର, ଏପରିକି କର୍ଣ୍ଣପାତ କରୁନଥିଲେ । ଏହି କାରଣରୁ ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ପୁର୍ବରୁ ବହୁ ଥର ଭାରତୀୟ ଜନତା ପାର୍ଟୀ ‘ବିଜେଡି – ପ୍ରଶାସନିକ ଅଧିକାରୀ’ ମଧୁଚନ୍ଦ୍ରିକା ପ୍ରସଙ୍ଗରେ ଉଦାହରଣ ସହିତ ଅଭିଯୋଗ କରିଆସୁଛି । ଏହାକୁ ଗତ ୨୭ ତାରିଖ ଦିନ ଉଭୟ ବିଜେଡି ଏବଂ ପ୍ରଶାସନିକ ଅଧିକାରୀମାନେ ନିଜେ ସ୍ପଷ୍ଟ ଭାବେ ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହି ଅବସରରେ ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ଓ ଅଶୋକ ତ୍ରିପାଠୀ, ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ ଓ ଠାକୁର ରଣଜିତ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଭୁବନ ମୋହନ ଜେନା, ଶ୍ରୀତମ ଦାଶ, ସୁଜିତ କୁମାର ଦାସ ଏବଂ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking