ବରଗଡ଼ : ବରଗଡ଼ ଜିଲ୍ଲା କଳାପାଣି ଛକର ଆନ୍ଧ୍ର ପଡ଼ାର ଏସ. ସତରାଜୁ(୬୫)ଙ୍କ ଆଜି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଯାଇଛି । ସେ ଆଜି ଗାଈମାନଙ୍କ ପାଇଁ ବିଲରୁ ଘାସ ସଂଗ୍ରହ କରିବାକୁ ଯାଉଥିବା ବେଳେ ବିଲରେ ଗତକାଲି ବିଳମ୍ବିତ ରାତିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍ ତାରର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏ ନେଇ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।
ଚାପା ଉତ୍ତେଜନା ଦେଖାଯିବାରୁ ବରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଥିଲେ । ଆନ୍ଦୋଳନକାରୀ ମୃତକଙ୍କ ପରିବାରକୁ ବିଦ୍ୟୁତ୍ ବିଭାଗ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ମୃତକଙ୍କ ପରିବାରକୁ ଅତାବିରା ବିଭାଗୀୟ ଏସଡ଼ିଓ କମ୍ପାନୀ ପକ୍ଷରୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ପରେ ଅପରାହ୍ଣ ୧ଟାରେ ଅବସ୍ଥା ସ୍ୱାଭାବିକ ହୋଇଥିବା ଜଣାଯାଇଛି । ମୃତକଙ୍କ ନାତି ସାବାଳକ ହେଲେ ସେମାନଙ୍କ ମଧ୍ୟରୁ ଜଣକୁ ବିଦ୍ୟୁତ ବିଭାଗର ଏକ ଠିକା ସଂସ୍ଥାରେ ନିଯୁକ୍ତି ଦିଆଯିବା ବ୍ୟବସ୍ଥା କରାଯିବ ବୋଲି ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଦୀର୍ଘ ସମୟ ଧରି ରାଜ ରାସ୍ତା ଅବରୋଧ ହୋଇଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଇଛି ।