ଆଙ୍କାରା : ରୁଷ୍-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ସୋମବାର ସୁଦ୍ଧା ୩୩ ଦିନରେ ଉପନୀତ ହୋଇଥିବାବେଳେ ସମାଧାନର କୌଣସି ସଙ୍କେତ ମିଳୁନାହିଁ । ଉଭୟପକ୍ଷ ମଧ୍ୟରେ ଛଅଥର ଆଲୋଚନା ହୋଇସାରିଥିବାବେଳେ କୌଣସି ନିର୍ଯ୍ୟାସ ମଧ୍ୟ ବାହାରି ନାହିଁ । ଏହି ପରିପ୍ରେକ୍ଷୀରେ ଚଳିମାସ ୨୮ରୁ ୩୦ ମଧ୍ୟରେ ତୁର୍କୀରେ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଉଭୟ ରୁଷ୍ ଓ ୟୁକ୍ରେନ୍ର ପ୍ରତିନିଧିମଣ୍ଡଳ ରାଜି ହୋଇଥିବା ଜଣାପଡିଛି । ଏହି ସମ୍ବାଦକୁ ୟୁକ୍ରେନ୍ର ଡେଭିଡ୍ ଆରାଖାମିଆ ଓ ରୁଷ୍ର ଭ୍ଲାଡିମୀର ମେଡିନ୍ସ୍କି ସ୍ୱୀକାର କରିଛନ୍ତି । ୬ଟି ମଧ୍ୟରୁ ୪ଟି ରାଜିନାମା ପ୍ରସ୍ତାବକୁ ସମ୍ମାନ ଜଣାଇବାକୁ ଉଭୟ ରୁଷ୍ ଓ ୟୁକ୍ରେନ୍ ସମ୍ମତି ଜଣାଇଛନ୍ତି ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ୍ ଏର୍ଡୋଗାନ୍ ସୂଚନା ଦେଇଛନ୍ତି । ଏଗୁଡିକ ମଧ୍ୟରୁ (୧) ୟୁକ୍ରେନ୍ ନାଟୋ ସଦସ୍ୟତା ପାଇଁ ଆବେଦନ କରିବ ନାହିଁ (୨) ୟୁକ୍ରେନ୍ରେ ରୁଷ୍ ଭାଷା ବ୍ୟବହାର କରାଯିବ ନାହିଁ (୩) ରୁଷ୍ ସଂଲଗ୍ନ ସୀମାକୁ ଅସ୍ତ୍ରଶସ୍ତ୍ର ମୁକ୍ତ ରଖାଯିବ ଏବଂ (୪) କୌଣସି ପରିସ୍ଥିତିରେ ରୁଷ୍ ସୀମାବର୍ତ୍ତୀ ଅଞ୍ଚଳକୁ ଆକ୍ରମଣ କରାଯିବ ନାହିଁ ଅନ୍ୟତମ ।