ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟମାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକରେ ପହଞ୍ଚିଛି । ତଦନ୍ତ ଅଧିକାରୀ ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଭଦ୍ରକ ଏସ୍ପି ଅଫିସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାମଲା ଓ ଭଦ୍ରକ ପୋଲିସ କରିଥିବା ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଏସ୍ପି ଚରଣ ସିଂହ ମୀନାଙ୍କ ସହ ଆଲୋଚନା କରିଛନ୍ତି ।
ସେହିପରି ଆଉ ଗୋଟିଏ ଟିମ୍ ରାଜ୍ୟ ବାହାରକୁ ମଧ୍ୟ ଯାଇଛି । ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତାଙ୍କୁ ଖୋଜିବ ବୋଲି କୁହାଯାଇଛି । ଏହା ପୂର୍ବରୁ ଗତକାଲି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ନ୍ୟୁଜ୍ ପୋର୍ଟାଲ ଅଫିସକୁ ସିଲ୍ କରିଥିଲା ଚାନ୍ଦବାଲି ପୋଲିସ । ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଥିବା ଅଫିସ୍ରେ ସଂଧ୍ୟାରେ ପୋଲିସ ରେଡ୍ କରିଥିଲା ।
ତାସହ ୨ଟି କମ୍ପ୍ୟୁଟର୍ ହାର୍ଡ ଡିସ୍କ ଓ ଗୋଟାଏ କ୍ୟାମେରା ସେଟ୍କୁ ପୋଲିିସ ଜବତ କରିଥିଲା । ଗତକାଲି ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଗିରଫ କରିଛି ପୋଲିସ । ମାନସଙ୍କୁ ଅପହରଣଠୁ ମୃତଦେହ ପୋତିବା ଯାଏଁ ବ୍ୟବହୃତ କାର୍ ମଧ୍ୟ ମିଳିଯାଇଛି । ଅନ୍ୟତମ ମାଷ୍ଟରମାଇଣ୍ଡ ନିରଂଜନ ସେଠୀ ବି କଷ୍ଟୋଡିକୁ ନିଆଯାଇଛି । ଅଥଚ ପାୱାର୍ କରିଡରର ଜଣାଶୁଣା ଶର୍ମିଷ୍ଠା ଏବେ କେଉଁଠି ? ଜାଣିପାରୁନି ପୋଲିସ । ତେବେ ରାଜ୍ୟର ଦୁଇ ଦୁଇ ଜଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହ ଶର୍ମିଷ୍ଠାଙ୍କ ଲିଙ୍କ୍ ଅଭିଯୋଗ ପରେ ମାମଲାର ତଦନ୍ତଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ ।