ମୁମ୍ବା : ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ର ପଞ୍ଚଦଶ ସଂସ୍କରଣରେ ଦର୍ଶକମାନେ ଷ୍ଟାଡିୟମ୍ରେ ବସି ମ୍ୟାଚ୍ର ଆନନ୍ଦ ନେଇପାରିବେ । ଲିଗ୍ ପାଇଁ ଷ୍ଟାଡିୟମ୍ କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି ବୋଲି ବୁଧବାର ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଶନିବାର ୱାଙ୍ଖେଡେ ଷ୍ଟାଡିୟମ୍ରେ ଗତ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ କୋଲ୍କାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ରୁ ବିଶ୍ୱର ଏହି ଦାମୀ କ୍ରିକେଟ୍ ଲିଗ୍ ଆରମ୍ଭ ହେବ ।
ଆଇପିଏଲ୍ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ‘ଏହି ମ୍ୟାଚ୍ ଏକ ମହତ୍ତ୍ୱପୂର୍ଣ୍ଣ ଅବସର ହେବ । କାରଣ ମହାମାରୀ କାରଣରୁ ସଂକ୍ଷିପ୍ତ ଅନ୍ତରାଳ ପରେ ପ୍ରଶଂସକଙ୍କୁ ଆଇପିଏଲ୍ ପୁଣିଥରେ ଷ୍ଟାଡିୟମ୍ରେ ସ୍ୱାଗତ କରିବ ।’ ବିଜ୍ଞପ୍ତି ଅନୁସାରେ ମ୍ୟାଚ୍ ଖେଳାଯିବାକୁ ଥିବା ମୁମ୍ବାଇ, ନଭିମୁମ୍ବାଇ ଓ ପୁଣେରେ କୋଭିଡ୍-୧୯ ପ୍ରୋଟୋକଲ୍ ଅନୁସାରେ ଷ୍ଟାଡିୟମ୍ କ୍ଷମତାର ୨୫ ପ୍ରତିଶତ ଦର୍ଶକ ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିପାରିବେ । ଆଇପିଏଲ୍ରେ ଦୁଇଟି ନୂଆ ଟିମ୍ ସାମିଲ ହେବା ଫଳରେ ଚଳିତ ସିଜନ୍ରେ ମୋଟ ୭୪ ମ୍ୟାଚ୍ ଖେଳାଯିବ । ଲିଗ୍ ଚରଣ ପାଇଁ ଅନ୍ଲାଇନ୍ରେ ଟିକେଟ୍ ବିକ୍ରି ବୁଧବାରଠାରୁ ଆରମ୍ଭ ହୋଇଛି ।