ଭୁବନେଶ୍ୱର: ଓଡ଼ିଶାରେ ବେକାରୀ ହାର ଦେଶର ଅନ୍ୟ ରାଜ୍ୟ ତୁଳନାରେ ନିମ୍ନରେ ରହିଛି । ବିଭନ୍ନ ଜନହିତକାରୀ ଯୋଜନା କାର୍ଯ୍ୟକାରୀ କରିବା ଯୋଗୁଁ ଏହି ସଫଳତା ମିଳିଛି । ଅଥଚ ହରିଆନା ଓ ରାଜସ୍ଥାନ ଭଳି ଉନ୍ନତ ରାଜ୍ୟଗୁଡ଼ିକରେ ବେକାରୀ ହାର ଊର୍ଦ୍ଧ୍ୱଗାମୀ ହେବାରେ ଲାଗିଛି । ଓଡ଼ିଶାର ବେକାରୀ ହାର ମାତ୍ର ୧.୪୭% ଥିଲାବେଳେ ହରିଆନାରେ ୨୫.୭୫% ଓ ରାଜସ୍ଥାନରେ ୨୪.୫% ରହିଛି । ସେଣ୍ଟର୍ ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକୋନୋମି ବା ସିଏମ୍ଆଇଇ ୨୦୨୧ ମସିହା ସେପ୍ଟେମ୍ବର-ଡିସେମ୍ବର ମଧ୍ୟରେ ସର୍ବଭାରତୀୟ ସ୍ତରରେ ବିସ୍ତୃତ ଭାବେ ସର୍ଭେ କରି ଏହି ରିପୋର୍ଟ ପ୍ରକାଶ କରିଛି । ସିଏମ୍ଆଇଇ କହିଛି ଯେ, ଓଡ଼ିଶାରେ ଗାଁ ତଥା ସହର ଲୋକଙ୍କ ଜୀବନ-ଜୀବିକାର ଉନ୍ନତ ପାଇଁ ଅନେକ ସଫଳ ଯୋଜନା କାର୍ଯ୍ୟକାରୀ ହୋଇଛି ।
ଏହାର ସିଧାସଳଖ ପ୍ରଭାବ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପଡ଼ିଛି । ବେକାରୀ ହାର କମିବାର ଏହା ପ୍ରମୁଖ କାରଣ । ବିଶେଷକରି ଗ୍ରାମାଞ୍ଚଳରେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା ବା ଏମଜିଏନ୍ଆର୍ଇଜିଏସ୍ ଯୋଗୁଁ ବ୍ୟାପକ କର୍ମନୁଯୁକ୍ତି ସୃଷ୍ଟି ହୋଇଛି । ଏପରିକି ୨୦୨୦-୨୧ କରୋନା ସଂକ୍ରମଣ କାଳରେ ରାଜ୍ୟ ସରକାର ଏମଜିଏନ୍ଆର୍ଇଜିଏସ୍ରେ ମୋଟ୍ ୨୦.୮୧ କୋଟିର କର୍ମ ନିଯୁକ୍ତି ସୃଷ୍ଟି କରି କର୍ମନୁଯୁକ୍ତି ସୃଷ୍ଟିକରିଥିଲେ । ଦ୍ୱିତୀୟରେ ରାଜ୍ୟରେ ୬ ଲକ୍ଷ ମହିଳା ଏସ୍ଏଚ୍ଜିରେ ୭୦ ଲକ୍ଷରୁ ଅଧିକ ମହିଳା ସାମିଲ ହୋଇ ନିଜର ପରିବାର ଭରଣପୋଷଣ କରିବାରେ ସହାୟକ ହେଉଛନ୍ତି ।
ଓଡ଼ିଶା ସରକାର ମଧ୍ୟ ଏହି ମହିଳାଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରି କର୍ମସଂସ୍ଥାନ ଯୋଗାଇଦେଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନା ଜରିଆରେ ସହରୀ ଗରୀବ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ପ୍ରମୁଖ ଭୂମିକା ରହିଛି । ସେଥିପାଇଁ ରାଜ୍ୟରେ ବେକାରୀ ସଂଖ୍ୟା କମିବାରେ ଲାଗିଛି ଓ ନିମ୍ନଗାମୀ ହେଉଛି । ହେଲେ ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଜନହିତକାରୀ ଯୋଜନା କାର୍ଯ୍ୟକାରୀ ହେଉନଥିବାରୁ ବେକାରୀ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି ବୋଲି ସିଏମ୍ଆଇଇ ରିପୋର୍ଟରେ କହିଛି ।