ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍ ଭିତରେ ଜାରି ରହିଛି ଯୁଦ୍ଧ । ଯୁଦ୍ଧର ପ୍ରଭାବ ଏବେ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ୍ଙ୍କ ପରିବାର ଉପରେ ପଡିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କୁ ମଧ୍ୟ ପ୍ରଭାବିତ କରିଛି । ୟୁକ୍ରେନ ଯୁଦ୍ଧ ପୁଟିନଙ୍କ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କ ରୁଷରେ ସୁପର-ରିଚ୍ ବିଦେଶୀଙ୍କ ପାଇଁ ଏଲିଟ୍ ମେଡିକାଲ ସେଣ୍ଟର ଖୋଲିବାର ସ୍ୱପ୍ନ ଭାଙ୍ଗି ଯାଇଛି । ରିପୋର୍ଟ ଅନୁସାରେ ସେ ନିଜର ଡଚ୍ ବିଜନେସମ୍ୟାନ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଦୁହିଁଙ୍କର ବିବାହ ବନ୍ଧନ ଭାଙ୍ଗି ଯାଇଛି । ମାରିଆ ଛୋଟ ପିଲାମାନଙ୍କଠାରେ ଦେଖାଯାଉଥିବା ଜେନେଟିକ୍ ରୋଗରେ ଜଣେ ବିଶେଷଜ୍ଞ ଡାକ୍ତର । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । ରୁଷର ରାଷ୍ଟ୍ରପତି ପୁଟିନ କେଜିବି ଗୁପ୍ତଚର ଭାବରେ କାର୍ଯ୍ୟ କରୁଥିବାବେଳେ ଡକ୍ଟର ମାରିଆ ଜନ୍ମଗ୍ରହଣ କରିଥିଲେ ।
ରୁଷର ଅନୁସନ୍ଧାନକାରୀ ସାମ୍ବାଦିକ ସରୋଜ କାନଭ ପ୍ରକାଶ କରିଛନ୍ତି ଯେ, ୟୁକ୍ରେନ ଉପରେ ପୁଟିନଙ୍କ ନିଷ୍ପତ୍ତି ତାଙ୍କ ଝିଅର ପରିବାରକୁ ନଷ୍ଟ କରିଦେଇଛି । ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ରୁଷ ଉପରେ ବ୍ୟାପକ କଟକଣା ଲାଗୁ କରାଯାଇଛି । ସେ କହିଛନ୍ତି ଯେ, ସେଣ୍ଟ ପିଟର୍ସବର୍ଗ ନିକଟରେ ଏକ ମର୍ଡନ ମେଡିକାଲ ଚିକିତ୍ସା କେନ୍ଦ୍ର ନିର୍ମାଣ ପାଇଁ ମେଗା ପ୍ରକଳ୍ପରେ ତାଙ୍କର ପ୍ରମୁଖ ଅଂଶ ରହିଛି । ୟୁରୋପରେ ରୋଗୀ ଏବଂ ଗଲ୍ଫ ଦେଶର ଧନୀ ଶିଖମାନଙ୍କୁ ଚିକିତ୍ସା କରି ରୁଷକୁ ଆକର୍ଷିତ କରିବା ପାଇଁ ପୁଟିନଙ୍କ ଝିଅଙ୍କର ଯୋଜନା ଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁରୋପ ଏବଂ ଗଲଫ୍ ଦେଶର ଧନୀ ବ୍ୟକ୍ତିମାନେ ଆଉ ଆସିପାରିବେ ନାହିଁ ।
ପୁଟିନଙ୍କ ବଡ ଝିଅଙ୍କର ସ୍ୱାମୀଙ୍କ ନାମ ଜୋରିଟ ଫାସେନ । ରିପୋର୍ଟରେ କୁହାଯାଇ ନାହିଁ ଯେ ସେମାନେ ଯୁଦ୍ଧ ଆରମ୍ଭରେ ଅଲଗା ହୋଇଥିଲେ । ତେବେ ତାଙ୍କ ପିଲାମାନଙ୍କ ଉପରେ ଅଧିକ ସୂଚନା ମିଳିପାରି ନାହିଁ । ଫସେନ୍ ଦୀର୍ଘ ବର୍ଷ ହେବ ରୁଷରେ କାମ କରିସାରିଛନ୍ତି । ତାଙ୍କ ବାପା ଡଚ୍ ଆର୍ମଡ ଫୋର୍ସର କର୍ନଲ ଥିଲେ । ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦୁନିଆର ଲୋକେ ଖୁବ୍ କମ୍ ଜାଣନ୍ତି । ତାଙ୍କ ଝିଅଙ୍କ ନାଁ ମାରିଆ ଓ ୟେକାତେରିନା । ବଡ ଝିଅ ଡାକ୍ତର ଥିବା ବେଳେ ସାନ ଝିଅ ଏକ୍ରୋବୋଟିକ୍ ଡ୍ୟାନ୍ସର । ଦୁଇ ଝିଅ ନିଜର ନାଁ ପଛରେ ବାପାଙ୍କ ସରନେମ୍କୁ କାଟି ଦେଇଛନ୍ତି ।