ଦେବଗଡ଼: ପ୍ରେମ ବିବାହକୁ ପରିବାର ଲୋକଙ୍କ ବିରୋଧ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରେମୀଯୁଗଳ । ସ୍ଥାନୀୟ ଲୋକଙ୍କ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ଦେବଗଡ଼ ପୁଲିସ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ପ୍ରେମୀ ଯୁଗଳ । ଆଜି ଦେବଗଡ଼ ଥାନା ପୁଲିସ ସହାୟତା ରେ ଉଭୟ ପରିବାରଙ୍କୁ ବୁଝାସୁଝା କରି ଆଜି ଲିଖିତ ଚୁକ୍ତିନାମା କରାଯାଇଥିଲା । ପରେ ଗୋକର୍ଣ୍ଣଶ୍ୱର ମନ୍ଦିରରେ ଉଭୟ ପରସ୍ପରକୁ ଫୁଲହାର ପିନ୍ଧାଇ ବିବାହ କରିଥିଲେ । ପରେ ଥାନାରେ ମଧ୍ୟ ପରସ୍ପରକୁ ଫୁଲହାର ଦେଇ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ମହାସିନ୍ଧୁ ଗ୍ରାମର ସୁମନ୍ତ ପ୍ରଧାନ ଓ ବଡ଼ଚ୍ଛାପଲ ଗ୍ରାମର ନଳିନୀ କିଷାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । ଉଭୟ ପ୍ରେମୀ ଯୁଗଳ ବିବାହ ପାଇଁ ମନସ୍ତ କରିଥିଲେ ମଧ୍ୟ ଉଭୟଙ୍କ ପରିବାର ଲୋକ ଏହାକୁ ବିରୋଧ କରିଥିଲେ । ଶେଷରେ ହତାଶ ହୋଈ ଉଭୟ ପ୍ରେମୀ ଯୁଗଳ ଗତ ଶନିବାର ଦିନ ଘରୁ ବହୁ ଦୂରକୁ ଚାଲିଆସି ଦେବଗଡ଼ ଥାନା ଅନ୍ତର୍ଗତ ପୁଷ୍ପଙ୍ଗା ଗ୍ରାମ ନିକଟରେ କୀଟନାଶକ ପାନ କରି ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି କେତେକ ଗ୍ରାମବାସୀ ଦେବଗଡ଼ ଥାନା ପୁଲିସ ସୂଚନା ଦେଇଥିଲେ । ସୂଚନା ପାଇ ଦେବଗଡ଼ ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପ୍ରେମିଯୁଗଳଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତିନିଦିନ ଚିକିତ୍ସା ପରେ ଆଜି ଉଭୟଙ୍କ ପରିବାର ଲୋକ ଦେବଗଡ଼ ଥାନାକୁ ଆସି ଏକ ଚୁକ୍ତିନାମା କରି ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେବା ସହ କୋର୍ଟ ମ୍ୟାରେଜ ପାଇଁ ପଦକ୍ଷେପ ନେବାକୁ ରାଜି ହୋଇଥିଲେ । ଏଥି ସହ ଆଜି ସ୍ଥାନୀୟ ଗୋକର୍ନେଶ୍ୱର ମନ୍ଦିର ରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ପ୍ରେମିଯୁଗଳ ଫୁଲହାର ଦେଇ ପରସ୍ପର କୁ ଆପଣାଇଥିଲେ । ପରିବାର ଲୋକଙ୍କୁ ବୁଝାସୁଝା କରି ସେମାନଙ୍କ ବିବାହ କରାଇଥିବାରୁ ଉଭୟ ପ୍ରେମୀ ଯୁଗଳ ଦେବଗଡ଼ ଥାନା ପୁଲିସକୁ ସାଧୁବାଦ ଜଣାଇଥିଲେ ।