ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡପିଛା ‘ମାଛ ଖାଇବା’ ହାର ଥିଲା ୭.୭୧ କେଜି । ତାହା ବୃଦ୍ଧି ପାଇ ହୋଇଛି ୧୬.୩୪ କେଜି । ଅର୍ଥାତ ରାଜ୍ୟରେ ମାଛ ଖାଦ୍ୟ ସେବନକାରୀଙ୍କ ସଂଖ୍ୟା ପୂର୍ବାପେକ୍ଷା ପ୍ରାୟ ୫୭ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ଜାତୀୟ ସ୍ତରରେ ମୁଣ୍ଡପିଛା ମାଛ ଖାଇବା ପରିମାଣ ରହିଛି ମାତ୍ର ୯.୫୨ କେଜି । ରାଜ୍ୟରେ ବିଗତ ବର୍ଷ ଠାରୁ ମାଛ ଉତ୍ପାଦନ ବି ବଢ଼ିଛି । ମାଛ ଉତ୍ପାଦନରେ ଓଡ଼ିଶା ଏବେ ଦେଶରେ ଚତୁର୍ଥ ହୋଇଛି । ସେଥିପାଇଁ ଓଡ଼ିଶା ସରକାର ବର୍ଷକୁ ୪ ହଜାର କୋଟି ଟଙ୍କାର ମାଛ ରପ୍ତାନୀ କରିବାକୁ ଟାର୍ଗେଟ୍ ରଖିଛନ୍ତି ବୋଲି ସରକାରୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ଓଡ଼ିଶାକୁ ବାର୍ଷିକ ପ୍ରାୟ ସାଢ଼େ ଛଅ ଲକ୍ଷ ଟନ୍ ମାଛ ଆବଶ୍ୟକ । ହେଲେ ଚାହିଦା ତୁଳନାରେ ମାଛ ଉତ୍ପାଦନ କମ୍ ହେଉଥିଲା । ଏଥିପାଇଁ ସରକାର ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ମଧୁର ମାଛ ଆମଦାନୀ କରୁଥିଲେ । ହେଲେ ଏବେ ସେହି ସମସ୍ୟାନାହଁ । ୨୦୧୫ରେ ସରକାର ‘ରାଜ୍ୟ ମତ୍ସ୍ୟ ନୀତି’ ପ୍ରଣୟନ କରିବା ପରେ ବିଭିନ୍ନ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହୋଇଛି । ବିଶେଷକରି ମହିଳା ସ୍ୱଂୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି)ଙ୍କୁ ମାଛ ଚାଷରେ ସାମିଲ କରାଯାଇଛି । ପଞ୍ଚାୟତ ପୋଖରୀକୁ ଲିଜ୍ ଆକାରରେ ନେଇ ଏହି ଏସ୍ଏଚ୍ଜିମାନେ ଭଲ ମାଛ ଚାଷ କରୁଛନ୍ତି । ସେଥିପାଇଁ ସରକାର ଋଣ ଦେବାର ବ୍ୟବସ୍ଥା ବି କରିଛନ୍ତି । ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ଲୋକ ମତ୍ସ୍ୟ ଉତ୍ପାଦନ ଓ ବିକ୍ରି କ୍ଷେତ୍ରରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ହୋଇଛନ୍ତି । ଫଳରେ ଓଡ଼ିଶାରେ ମାଛ ଉତ୍ପାଦନ ୬,୪୯,୫୫୦ ଟନ୍ରୁ ୮,୧୬,୪୫୮ ଟନ୍କୁ ବୃଦ୍ଧି ହୋଇଛି । ଏଥିରେ ମଧୁର ମାଛ ଉତ୍ପାଦନ ୫, ୪୩,୦୪୯ ମେଟ୍ରିକ ଟନ୍, କ୍ଷାରିପାଣି ମାଛ ୧,୧୬,୦୯୯ ଟନ୍ ଓ ୧,୫୭,୩୧୦ ଟନ୍ ଲୁଣିପାଣି ମାଛ ଉତ୍ପାଦନ ହୋଇଛି । ଅର୍ଥାତ ବର୍ଷକୁ ୧,୬୬,୯୦୮ ଟନ୍ ମାଛ ଅଧିକ ଉତ୍ପାଦନ ହେଉଛି । ତେବେ ୨୦୧୦-୧୧ରୁ ୨୦୧୬-୧୭ ମଧ୍ୟରେ ମାଛର ଚାହିଦା ଓ ଉତ୍ପାଦନ ପ୍ରାୟ ବରାବର ଥିଲା । ୨୦୧୭-୧୮ରୁ ମାଛ ଉତ୍ପାଦନ ବଢ଼ିବା ଆରମ୍ଭ କଲା । ହେଲେ ୨୦୨୦-୨୧ ସୁଦ୍ଧା ମାଛ ଉତ୍ପାଦନ ଏବେ ରେକର୍ଡ କରିଛି ।
ରିପୋର୍ଟ ମୁତାବକ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବା ସହ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ଓ ତାଲିମ ଯୋଗାଇଦେବା ଉପରେ ସରକାର ଅଗ୍ରାଧିକାର ଦେଇଛନ୍ତି । ବାୟୋ ଫ୍ଲକ୍ ବା ‘ଜୈବ ପୁଞ୍ଜ’, ଜଳଭଣ୍ଡାରରେ ଅତ୍ୟାଧୁନିକ ପଞ୍ଜୁରୀ ଭିତରେ ମାଛ ଚାଷ, ବୈଜ୍ଞାନିକ ପଦ୍ଧତିରେ ‘ପଲିଥିନ ଆସ୍ତରଣ’, ପଞ୍ଚାୟତ ପୋଖରୀରେ ମହିଳା ସ୍ୱଂୟଂ ସହାୟିକା ଗୋଷ୍ଠୀଙ୍କ ମାଛ ଚାଷ ଏବଂ ‘ମତ୍ସ୍ୟ ପୋଖରୀ ଯୋଜନା’ କାର୍ଯ୍ୟକାରୀ ହୋଇଛି । ଏଥିସହ ଅଙ୍ଗୁଳିକା ଯାଆଁଳ ଛାଡ଼ିବା ଯୋଗୁଁ ଏହି ସଫଳତା ମିଳିଛି । ଏଥିଯୋଗୁଁ ମାଛ ଉତ୍ପାଦନରେ ସଫଳତା ମିଳିଛି । ଚାହିଦା ମେଣ୍ଟାଇବା ସହ ଓଡ଼ିଶାର ଉତ୍ପାଦିତ ମାଛକୁ ବାହାର ରାଜ୍ୟକୁ ରପ୍ତାନୀ କରାଯାଉଛି । ଏନେଇ ରାଜ୍ୟକୁ ଅଧିକ ରାଜସ୍ୱ ମିଳୁଛି । ତେବେ ସରକାର ବର୍ଷରୁ ୪ ହଜାର କୋଟି ଟଙ୍କାର ମାଛ ରପ୍ତାନୀ କରିବାକୁ ଟାର୍ଗେଟ୍ କରିଛନ୍ତି । ଏନେଇ ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ମାଛ ରପ୍ତାନୀ ହେବ ବୋଲି ମତ୍ସ୍ୟ ବିଭାଗ ଆକଳନ କରିଛି ।
ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ଯେ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିବା ପରେ ଏହି ସଫଳତା ମିଳିଛି । ମାଛ ଚାଷ ପୂର୍ବରୁ ପ୍ରଥମେ ରାଜ୍ୟରେ ବ୍ୟାପକ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ ସହ ମତ୍ସ୍ୟ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି । ବର୍ଷସାରା ମତ୍ସ୍ୟଚାଷୀଙ୍କୁ ଜାଆଁଳ ଯୋଗାଇଦେବାର ବ୍ୟବସ୍ଥା ହେଉଛି । ଏଥିସହ ମତ୍ସ୍ୟଚାଷୀଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସେହିପରି ମହିଳା ସ୍ୱଂୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି)ଙ୍କୁ ମାଛ ଚାଷରେ ସାମିଲ କରିବା ପରେ ସ୍ଥିତି ବଦଳିଛି । ପଞ୍ଚାୟତ ପୋଖରୀକୁ ଲିଜ୍ ଆକାରରେ ନେଇ ଏସ୍ଏଚଜିମାନେ ମାଛ ଚାଷ କରୁଛନ୍ତି । ସେଥିପାଇଁ ଋଣ ଦେବାର ବ୍ୟବସ୍ଥା ହୋଇଛି । ହେକ୍ଟର ପ୍ରତି ଅଟକଳ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ଉପରେ ୬୦ ପ୍ରତିଶତ ଅର୍ଥାତ ୯୦ ହଜାର ଟଙ୍କା ରିହାତି ଦେବାର ବ୍ୟବସ୍ଥା ହୋଇଛି । ରାଜ୍ୟର ମାଛ ଉତ୍ପାଦନ ବଢ଼ିବାର ଏସବୁ ପ୍ରମୁଖ କାରଣ ବୋଲି ସେ ପ୍ରକାଶ କରିଛନ୍ତି ।