ଇସଲାମାବାଦ: ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାବେଳେ ଆସନ୍ତା ୨୫ରେ ନ୍ୟାସନାଲ ଆସେମ୍ବ୍ଲିରେ ଏହା ଉପରେ ଭୋଟଗ୍ରହଣ କରାଯିବ । ଏହା ବର୍ତ୍ତମାନ ପାକିସ୍ତାନରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି କରିଛି । ଇମ୍ରାନ୍ଙ୍କ ଦଳ ପିଟିଆଇ (ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍)ର କେତେକ ସାଂସଦ ଇତିମଧ୍ୟରେ ଦଳତ୍ୟାଗ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଇମ୍ରାନ୍ ସରକାର ସୋମବାର ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଯେଉଁ ଅସନ୍ତୁଷ୍ଟ ସାଂସଦମାନେ ଦଳ ଛାଡିଛନ୍ତି, ସେମାନଙ୍କୁ ରାଜନୀତିରୁ ଆଜୀବନ ବାସନ୍ଦ କରାଯାଇପାରିବ କି ନାହିଁ, ଯଦି ଅସନ୍ତୁଷ୍ଟ ସାଂସଦମାନେ ଇମ୍ରାନ୍ଙ୍କ ବିରୋଧରେ ମତସାବ୍ୟସ୍ତ କରନ୍ତି, ତେବେ ତାହା ବୈଧ ବିବେଚିତ ହେବ କି ନାହିଁ, ତାହା ସ୍ପଷ୍ଟ କରିବାକୁ ମଧ୍ୟ ପିଟିସନରେ ଉଲ୍ଲେଖ କରାଯାଇଛି ।