ଢେଙ୍କାନାଳ : ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ଏବଂ ପରେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଲା ପ୍ରେମିକ । ଏଭଳି ଘୃଣ୍ୟ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଅଞ୍ଚଳରେ । ଯାହାକୁ ନେଇ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ପ୍ରେମିକ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଛି । ଟୁକୁର ଘର ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ହୋଇଥିବା ସୂଚନା ମିଳିଛି । ସେ ଗତ ଦୁଇ ବର୍ଷ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁରୁକିଆ ଗାଁର ଦିଲ୍ଲୀପ କୁମାର ଜେନାଙ୍କ ସ୍ତ୍ରୀ ସୁନିତା ଜେନାଙ୍କୁ ଭଲ ପାଇ ଆସୁଥିଲେ । ଏକ ମିସକଲରୁ ଉଭୟ ମହିଳା ଓ ଯୁବକଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ତେବେ ସୁନିତାଙ୍କର ଅନ୍ୟ କୌଣସି ଯୁବକଙ୍କ ସହିତ ସମ୍ପର୍କ ରହିଥିବା ସନ୍ଦେହରେ ଟୁକୁ ତାଙ୍କୁ ଚଳିତ ମାର୍ଚ୍ଚ ମାସ ୧୨ ତାରିଖ ଦିନ ମୁକ୍ତାପଶି ଗାଁ ପାଖ ଜଙ୍ଗଲ ନିକଟକୁ ଆଣି ପ୍ରଥମେ ମାଡ଼ ମାରିଥିଲା । ପରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କ ଉପରେ ତାଳପତ୍ର ପକାଇ ନିଆଁ ଲଗେଇ ଦେଇ ଚମ୍ପଟ ମାରିଥିଲେ । ସୌଭାଗ୍ୟ ବଶତଃ ସୁନିତା ବଞ୍ଚି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ପରେ ଅଭିଯୁକ୍ତ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଥିଲା । ଯାହାକୁ ନେଇ ଅଧିକ ତଦନ୍ତ ଚଳାଇଛନ୍ତି ଜିଲ୍ଲା ସାଇଣ୍ଟିଫିକ ଟିମ । ଉକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ୍ ପ୍ରଥମେ ଟୁକୁଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ଟୁକୁ ମଧ୍ୟ ଦୋଷ ସ୍ୱୀକାର କରିଥିଲା । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଟୁକୁଖୁ ଗିରଫ କରି କୋର୍ଟ ଚାଲାଣ କରିଛି ।