ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧକୁ ୧୯ ଦିନ ବିତିଛି । କିଭ୍ ଓ ଖାରକିଭ୍ ଭଳି ସହରକୁ ଅଧିକୃତ କରିବା ପାଇଁ ରୁଷ ପକ୍ଷରୁ ଜାରି ରହିଛି ଦ୍ରୁତ ଆକ୍ରମଣ । ରୁଷ ସବୁଠାରୁ ବଡ ଆକ୍ରମଣ ମାରିୟୁପୋଲ ସହରରେ କରିଛି । ବିିଭିନ୍ନ ଅଞ୍ଚଳ ସହ ମେଟରନିଟି ହସ୍ପିଟାଲକୁ ମଧ୍ୟ ବୋମା ମାଡ କରିଛି । ଏହା ମଧ୍ୟରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣ ହୋଇଥିବା ହସ୍ପିଟାଲରୁ ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବା ଜଣେ ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ହୋଇଛି । ବୋମା ମାଡ ଖୁବ ଭୟଙ୍କର ଥିବା ସହ ଶୀଘ୍ର ଶୀଘ୍ର ହସ୍ପିଟାଲ କର୍ମଚାରୀ ହସ୍ପିଟାଲ ଖାଲି କରୁଥିଲେ । ନିକଟରେ ବିସ୍ଫୋରଣର ଶିକାର ହୋଇଥିବା ମେଟରନିଟି ହସ୍ପିଟାଲର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ଏହାପରେ ଡାକ୍ତର ତାଙ୍କର ଅସ୍ତ୍ରୋପଚାର ସମୟରେ ଗର୍ଭସ୍ଥ ଶିଶୁକୁ ରକ୍ଷା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ମହିଳାଙ୍କ ଅବସ୍ଥା ଖୁବ ଗୁରୁତର ଥିବାରୁ ଗର୍ଭସ୍ଥ ଶିଶୁର ଜୀବନ ରକ୍ଷା କରିବା ସମ୍ଭବ ହୋଇ ପାରି ନଥିଲା । ଅଧିକାରୀଙ୍କ କହିବାନୁସାରେ, ଆହତ ମହିଳାଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରଥମେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ଶିଶୁକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ତେବେ ମହିଳାଙ୍କ ଅବସ୍ଥା ଖୁବ ଗୁରୁତର ଥିବା ସହ ତାଙ୍କ କ୍ଷତ ମଧ୍ୟ ଗଭୀର ଥିଲା । ଏପରିକି ତାଙ୍କ ଅଣ୍ଟା ହାଡ ମଧ୍ୟ ଭାଙ୍ଗି ଯାଇଥିଲା । ଏହି ସମୟରେ, ଡାକ୍ତରମାନେ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ଶିଶୁଟିର ଜୀବନ ବଞ୍ଚାଇ ପାରି ନଥିଲେ । ଡାକ୍ତରଙ୍କ କହିବାନୁସାରେ, ତାଙ୍କ ପିଲାଟି ମରିଯାଇଥିବା ଦେଖି ମହିଳା ଜଣକ ମଧ୍ୟ ତାଙ୍କୁ ମାରିଦେବାକୁ ଅନୁରୋଧ କରିଥିଲେ । ଡାକ୍ତରମାନେ କହିଛନ୍ତି, ପ୍ରସବ ପରେ ସେମାନେ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରାୟ ଅଧ ଘଣ୍ଟା ପରେ ସେ ମୃତ୍ୟୁ ବରଣ କରିଥିଲେ । ମହିଳାଙ୍କ ଜୀବନ ରକ୍ଷା କରିବାର ତତ୍ପରତା ମଧ୍ୟରେ ଡାକ୍ତର ଏବଂ ଡାକ୍ତରଖାନା ପ୍ରଶାସନ ମହିଳାଙ୍କ ନାମ ଜାଣିପାରିଲେ ନାହିଁ । ତେବେ ପରେ ମହିଳାଙ୍କ ସ୍ୱାମୀ ଏବଂ ବାପା ତାଙ୍କ ମୃତଦେହକୁ ନେଇ ଯାଇଥିଲେ । ମାରିୟୁପୋଲରୁ ଆଉ ଏକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ଗର୍ଭବତୀ ମହିଳାମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡୁଥିବାର ଦେଖାଯାଇଥିଲା । ବୋମା ବିସ୍ଫୋରଣରୁ ବଞ୍ଚିଥିବା ଜଣେ ମହିଳା କହିଥିଲେ, ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ବୋମା ବିସ୍ଫୋରଣ ଦିନ ସାମ୍ନାକୁ ଆସିଥିବା ତାଙ୍କ ଫଟୋରେ ସେ ଏକ ବ୍ୟାଗ ଧରି କଷ୍ଟରେ ଦୌଡୁଥିବାର ନଜର ଆସିଥିଲେ । ମାର୍ଚ୍ଚ ୯ ରେ ଏହି ଘଟଣା ଘଟିଥିବା କୁହାଯାଇଛି ।