ମାଲକାନଗିରି: ପଡୋଶୀ ଛତିଶଗଡର ଦାନ୍ତେଓାଡା କଟେକଲ୍ୟାଣ ଜଙ୍ଗଲରେ ଆଜି ପୁଲିସର ଏନକାଉଣ୍ଟର ହୋଇଛି । କମ୍ବିଂ ଅପରେଶନ ସମୟରେ ସୁକୁମା ଓ ଦାନ୍ତେୱାଡା ପୁଲିସକୁ ବଡ଼ ସଫଳତା ମିଳିଛି । ସୁକୁମା ଓ ଦାନ୍ତେୱାଡା ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ପୁଲିସ ଏନ୍କାଉଣ୍ଟରରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ନିହତ ମହିଳା ମାଓବାଦୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଏଥି ସହିତ ପୁଲିସ ଘଟଣାସ୍ଥଳରୁ ୩ଟି ବନ୍ଧୁକ ଓ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ କରିଛି । ସୂଚନା ଅନୁଯାୟୀ, ସୁକମା ଏବଂ ଦନ୍ତେୱାଡା ଜିଲ୍ଲା ସୀମାରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି । କଟେକଲ୍ୟାଣ ଥାନା ଅନ୍ତର୍ଗତ ଗୋଲି ମୁଥେଲି ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି । ତୁରନ୍ତ ଦନ୍ତେୱାଡା ଡିଆରଜି ଯବାନ ଏବଂ ସୁକମାର ୨୩୦ ସିଆରପିଏଫ ଯବାନ ଏହି ଅଂଚଳରେ ଚଡାଉ କରିଥିଲେ । ଦୀର୍ଘସମୟ ଧରି ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା, ଯାହାଫଳରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୨ ଜଣ ମହିଳା ମାଓବାଦୀଙ୍କ ଶବ ଜବତ କରିବା ସହ ବନ୍ଧୁକ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ଦନ୍ତେୱାଡା ଏସପି ସିଦ୍ଧାର୍ଥ ତି୍ୱାରୀ ପ୍ରକାଶ କରିଛନ୍ତି । ଗତ ୪ ଦିନ ତଳେ ବିଜାପୁର ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଜଣେ ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲର ମୃତ୍ୟୁହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଥିଲେ । ତେବେ ଛତିଶଗଡରେ ନକ୍ସଲଙ୍କ ଉତ୍ପାତ ଏବେ ବି ଜାରି ରହିଛି । କୌଣସି ନା କୌଣସି ଜିଲ୍ଲାରେ ନକ୍ସଲ ନିଜର ଉପସ୍ଥିତି ଜାହିର କରୁଛନ୍ତି । ପୁଲିସ ମଧ୍ୟ ମାଓବାଦୀଙ୍କ ପିଛା ଜାରି ରଖିଛି ।