ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରାଯାଇଛି । ଶନିବାର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଥିବା ବେଳେ ଏହାର ସମୀକ୍ଷା ତଥା ତଦାରଖ ପାଇଁ ଶ୍ରୀ ଜଗଦ୍ଦେବ ଯାଉଥିବା ସମୟରେ ତାଙ୍କୁ ବିରୋଧୀମାନେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି । ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ବିଧାୟଙ୍କ ସମେତ ୨ ପୁଲିସ୍ କର୍ମଚାରୀ ମଧ୍ୟଆହତ ହୋଇଛନ୍ତି । ତେବେ ଶନିବାର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଜାରି ରହିଥିବା ବେଳେ ବ୍ଲକ୍ ବାହାରେ ଲୋକ ଭିଡ଼ ଥିବା ସ୍ଥାନରେ ଶ୍ରୀ ଜଗଦ୍ଦେବ ଗାଡ଼ି ଭର୍ତ୍ତି କରିଥିଲେ । ଏହାକୁ ବିରୋଧ କରି ଲୋକମାନେ ପ୍ରଥମେ ତାଙ୍କ ଗାଡ଼ି ଭଙ୍ଗାରୁଜା କରିବା ପରେ ତାଙ୍କୁ ଆକ୍ରମଣ କରିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ବିଧାୟକ ଜଗଦ୍ଦେବ ଭିଡ଼ ଭିତରେ ଗାଡ଼ି ଚଢ଼ାଇ କେତେକ ଲୋକଙ୍କୁ ମାରିବାକୁ ଉଦ୍ୟମ କରିଥିଲେ । ଏହାକୁ ଭିତ୍ତି କରି ତାଙ୍କୁ ଆକ୍ରମଣ କରାଯାଇଛି । ତେବେ ବିଭିନ୍ନ ମତ ମନ୍ତବ୍ୟ ତଥା ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ଜଗଦ୍ଦେବଙ୍କୁ ବିଜେପି କର୍ମୀମାନେ ମାଡ଼ ମାରିଥିବା କୁହାଯାଉଥିବା ବେଳେ ପୁଲିସ୍ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲ୍ରେ ଭର୍ତ୍ତି କରିଛି ।