27.1 C
Bhubaneswar
Monday, November 18, 2024
Homeଖେଳଆଜି ଇଣ୍ଡିଜ୍‌କୁ ଭେଟିବ ଭାରତ

ଆଜି ଇଣ୍ଡିଜ୍‌କୁ ଭେଟିବ ଭାରତ

ହାମିଲଟନ୍‌: ଚଳିତ ବିଶ୍ୱକପ୍‌ରେ ଅଦ୍ୟାବଧି ଗତ ସିଜନ୍‌ର ରନର୍ସଅପ୍ ଭାରତ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ବରଣ କରିଛି । ୨ ପଏଣ୍ଟ୍ ସହ ଦଳ ପଏଣ୍ଟ୍ ଟେବଲ୍‌ରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ପ୍ରତିଯୋଗିତାର ତୃତୀୟ ମୁକାବିଲାରେ ଶନିବାର ୱେଷ୍ଟ୍‌ଇଣ୍ଡିଜ୍‌କୁ ଭେଟିବ । ପ୍ରଥମ ମ୍ୟାଚ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ପୂର୍ବକ ମିତାଲି ରାଜଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଥିଲେ ହେଁ ପରବର୍ତ୍ତୀ ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡ୍‌ଠାରୁ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ୱେଷ୍ଟ୍‌ଇଣ୍ଡିଜ୍ ଅଦ୍ୟାବଧି ଅପରାଜେୟ ରହି ୪ ପଏଣ୍ଟ୍ ସହ ଟେବଲ୍‌ରେ ଭାରତ ଉପରେୂ ଚତୁର୍ଥ ସ୍ଥାନରେ ରହିଛି । ତେଣୁ ୱେଷ୍ଟ୍‌ଇଣ୍ଡିଜ୍‌କୁ ହରାଇ ଟେବଲ୍‌ରେ ଉପରକୁ ଉଠିବାକୁ ହେଲେ ଭାରତୀୟ ଦଳକୁ ସନ୍ତୁଳିତ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷକରି ଶେଷ ମ୍ୟାଚ୍‌ରେ ଦଳ ଯେପରି ଭାବେ ଦାୟିତ୍ୱହୀନ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ୍‌ଠାରୁ ପରାଜୟ ବରଣ କଲା, ସେପରି ସ୍ଥିତିରେ ଶନିବାର ମ୍ୟାଚ୍‌ରେ ଇଣ୍ଡିଜ୍ ପଲା ଭାରି ରହିବ ବୋଲି କେହି ବି କହିପାରିବେ । କିନ୍ତୁ ମିତାଲି ବାହିନୀକୁ ପୁଣିଥରେ ପରସ୍ପର ସହ ବୁଝାମଣା ପୂର୍ବକ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷକରି ବ୍ୟାଟ୍ସଓମ୍ୟାନ୍‌ମାନଙ୍କ ପାଇଁ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି । ନ୍ୟୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍‌ରେ ହରମନପ୍ରୀତ୍ କୌର୍ ଆକର୍ଷଣୀୟ ୭୧ ରନ୍ କରିଥିଲେ ମଧ୍ୟ ଅଧିନାୟିକା ମିତାଲି, ଓପନର ସ୍ମୃତି ମନ୍ଧାନା, ୟାସ୍ତିକା ଭାଟିଆ ଓ ଦୀପ୍ତି ଶର୍ମାଙ୍କ ଦାୟିତ୍ୱହୀନ ପ୍ରଦର୍ଶନ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ସେହିପରି ଅଦ୍ୟାବଧି ଆଉଟ୍ ଅଫ୍ ଟଚ୍ ମନେ ହେଉଥିବା ଓପନର ଶେଫାଳୀ ବର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରେ ବଜାୟ ରଖାଯିବା ନିଶ୍ଚିତ । ତେଣୁ ତାଙ୍କୁ ଏଥର ପ୍ରଦର୍ଶନ କରିବାକୁ ପଡ଼ିବ । ତାଙ୍କ ପରି ଜଣେ ଶକ୍ତିଶାଳୀ ଷ୍ଟ୍ରୋକ୍‌ମେକର୍‌ଙ୍କ ବ୍ୟାଟ୍ ଚାଲିଲେ, ବିରୋଧୀ ଇଣ୍ଡିଜ୍ ଟିମ୍‌ରେ ଭୟର ବାତାବରଣ ଖେଳିପାରିବ । ଗତ ମ୍ୟାଚ୍‌ରେ ୧୬୨ଟି ଡଟ୍ ବଲ୍ ଖେଳିଥିବାରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଏପରି ଭୁଲ ନ ଦୋହରାଇବାର ଆବଶ୍ୟକତା ରହିଛି । ତେଣୁ ଦଳର ବରିଷ୍ଠ ଖେଳାଳିମାନଙ୍କୁ ଅଧିକ ଦାୟିତ୍ୱ ନେବାକୁ ପଡ଼ିବ ବୋଲି ଦଳର ମୁଖ୍ୟ କୋଚ୍ ରମେଶ ପାୱାର୍ କହିଛନ୍ତି । ମିତାଲି ତାଙ୍କର ଶେଷ ବିଶ୍ୱକପ୍ ଖେଳୁଥିବାରୁ ସାଥୀ ଖେଳାଳିଙ୍କ ସକାଶେ ଉଦାହରଣ ହେବା ଆବଶ୍ୟକ । ଅନ୍ୟପକ୍ଷରେ ଷ୍ଟେଫାନି ଟେଲର୍‌ଙ୍କ ଟିମ୍ ଭାରତୀୟ ଖେଳାଳିଙ୍କଠାରୁ ଅଧିକ ପରିପକ୍ୱତାର ପରିଚୟ ଦେଇଛନ୍ତି । ବିଶେଷକରି ଦଳ ତା\’ର ଶେଷ ମ୍ୟାଚ୍‌ରେ ୨୨୫ ରନ୍‌ର ଟାର୍ଗେଟ୍‌କୁ ଡିଫେଣ୍ଡି କରିବାରେ ସକ୍ଷମ ହୋଇଛି । ତେଣୁ ଶନିବାର ମ୍ୟାଚ୍‌ରେ ଦଳର ଖେଳାଳିମାନଙ୍କଠାରୁ ଟେଲର୍ ସମାନ ପ୍ରଦର୍ଶନ ଆଶା କରିବେ । ଟେଲର୍‌ଙ୍କ ପାଖରେ ବୋଲିଂର ବ୍ୟାପକ ବିକଳ୍ପ ରହିଥିବାରୁ ଏହା ଦଳର ସବୁଠାରୁ ବଡ଼ ସକାରାତ୍ମକ ଦିଗ । ଇଂଲଣ୍ଡ ବିପକ୍ଷ ଉକ୍ତ ମ୍ୟାଚ୍‌ରେ ଅଲ୍‌ରାଉଣ୍ଡର୍ ଡିଣ୍ଡ୍ରା ଡଟ୍ଟିନ୍‌ଙ୍କ ଆକର୍ଷଣୀୟ କ୍ୟାଚ୍ ମୁଖ୍ୟାଂଶ ରହିଥିଲା । ତା\’ଛଡ଼ା ନ୍ୟୁଜିଲାଣ୍ଡ୍ ଓ ଇଂଲଣ୍ଡ ବିପକ୍ଷରେ ସ୍କୋର୍ ଡିଫେଣ୍ଡ୍ କରିବାରେ ଇଣ୍ଡିଜ୍ ସକ୍ଷମ ହୋଇଥିବାରୁ ଏହା ମିତାଲି ବାହିନୀ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେବ । ଭାରତୀୟ ବ୍ୟାଟ୍ସଓମ୍ୟାନ୍‌ମାନେ କ୍ରମାଗତ ବିଫଳ ରହିଥିବାରୁ କିପରି ଭାବେ ଇଣ୍ଡିଜ୍‌ର ଶକ୍ତିଶାଳୀ ବୋଲିଂ ଲାଇନ୍‌ଅପ୍‌ର ମୁକାବିଲା କରିବେ ତାହା ହିଁ ଶନିବାର ମ୍ୟାଚ୍‌ରେ ଦେଖିବାର ବିଷୟ ।
ଭାରତୀୟ ଦଳ: ମିତାଲି ରାଜ୍ (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ହରମନ୍‌ପ୍ରୀତ୍ କୌର୍‌, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକାର, ରିଚା ଘୋଷ (ୱିକେଟ୍‌କିପର୍‌), ତାନିୟା ଭାଟିଆ (ୱିକେଟ୍‌କିପର୍‌), ସ୍ନେହ ରାଣା, ମେଘନା ସିଂହ, ରାଜେଶ୍ୱରୀ ଗାଏକ୍ୱାଡ୍‌, ପୂନମ୍ ଯାଦବ, ଝୁଲନ୍ ଗୋସ୍ୱାମୀ ଓ ରେଣୁକା ସିଂହ ।
ୱେଷ୍ଟ୍‌ଇଣ୍ଡିଜ୍ ଦଳ: ଷ୍ଟେଫାନି ଟେଲର୍ (ଅଧିନାୟିକା), ଅନିସା ମହମ୍ମଦ (ଉପଅଧିନାୟିକା), ଆଲିୟାହ ଆଲେନ୍‌, ଶିମେନ୍ କ୍ୟାମ୍ପବେଲ୍‌, ଶାମିଲିଆ କୋନେଲ୍‌, ଡିଣ୍ଡ୍ରା ଡଟ୍ଟିନ୍‌, ଆଫି ଫ୍ଲେଚର୍‌, ଚେରୀ ଆନ୍ ଫ୍ରେଜର୍‌, ଚିନେଲ୍ ହେନ୍‌ରୀ, କିସିଆ ନାଇଟ୍‌, ହେଲି ମାଥ୍ୟୁସ୍‌, ଚେଦିନ୍ ନେସନ୍‌, କରିଶ୍ମା ରାମହାରାକ୍‌, ଶାକେରା ସେଲମାନ୍ ଓ ରାଶାଦା ୱିଲିୟମ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking