ଭୁବନେଶ୍ୱର: ଠକ ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ । ଏନେଇ ରମେଶ ସ୍ୱାଇଁ ସହମତି ପ୍ରକାଶ କରିଛି । ପିଙ୍କ୍ ଟିମ୍ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା । ଆସନ୍ତା ସପ୍ତାହରେ ରମେଶର ଷ୍ଟେଟ୍ ଫୋରେନସିକ୍ ଲ୍ୟାବ୍ରେ ହେବ ପଲିଗ୍ରାଫ ଟେଷ୍ଟ । ରମେଶ ରିମାଣ୍ଡ ସମୟରେ ଭୁଲ୍ ତଥ୍ୟ ଦେଉଥିବା ଓ ତଦନ୍ତରେ ସହଯୋଗ କରୁନଥିବାରୁ ପଲିଗ୍ରାଫ ଟେଷ୍ଟ ହେବ । ସୂଚନା ଅନୁଯାୟୀ, ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା ନିକଟରେ ଦେଖିବାକୁ ମିଳିଥିଲା । ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ କରୁଥିଲା ଛଳନା । କେତେବେଳେ ଅସୁସ୍ଥତାର ବାହାନା କରି ସାଲାଇନ ଲଗାଇ ଫଟୋ ଉଠାଇ ମହିଳାଙ୍କୁ ପଠାଉଥିଲା ତ ଆଉ କେତେବେଳେ କାନ୍ଦିବାର ଭିଡିଓ ପଠାଉଥିଲା । ଆଉ ଏକ ଭିଡିଓରେ ରଥଯାତ୍ରା ବେଳେ ରଥ ଟାଣୁଥିବା ଦେଖାଯାଇଥିଲା । ଏଭଳି ଅନେକ ଭିଡିଓ ଓ ଫଟୋ କମିଶନରେଟ ପୋଲିସ ହାତରେ ଲାଗିଛି । ଏହାକୁ ନେଇ ପୋଲିସ ତଦନ୍ତ କରୁଛି । ୫ଦିନିଆ ରିମାଣ୍ଡରେ ନେଇ ଠକାମୀର ଚେର ଖୋଜିଛି ପୋଲିସ । ରମେଶର ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଏବେ ବି ଫେରାର ଅଛନ୍ତି ।