ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ଭୁବନେଶ୍ବର ମହାନଗରର ନିଗମ ଭୋଟ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ନିର୍ଵାଚନ ପ୍ରଚାର ମଧ୍ୟ ଆରମ୍ଭ ହୋଇଗଲାଣି। ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଚା’ ଦୋକାନୀ ।ଭୁବନେଶ୍ବର ୨୯ ନମ୍ବର ୱାର୍ଡରୁ ପ୍ରାର୍ଥୀ ହୋଇଛନ୍ତି ଆଦୁଲ୍ ରାଜୁ । ଦଳର ଜଣେ ଶୃଙ୍ଖଳିତ କର୍ମୀ ସହ ପରିଶ୍ରମୀ ମଣିଷଟେ ହୋଇଥିବାରୁ ଅନେକ ପୁରୁଖା ଓ ଦାବିଦାରଙ୍କୁ ବାଦ ଦେଇ ତାଙ୍କୁ ବିଜେଡିର ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେଇଛି । ଆଉ ଏହାକୁ ନେଇ ଏ ରାଜୁ ବେଶ ଖୁସି ଥିବା ବେଳେ ତାଙ୍କ ଉପରେ ଦଳର ଆଶା ଭରସା ଥିବାରୁ ଦଳ ତାଙ୍କୁ ଟିକେଟ ଦେଇଥିବା କଥା ସେ କହିଛନ୍ତି । ଏଥିପାଇଁ ଦଳର ମୁଖିଆଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
ତେବେ ଏହି ଓ୍ବାର୍ଡରୁ ୪ ଥର କର୍ପୋରେଟର ହୋଇଥିବା ଶେଖ୍ ନିଜାମୁଦ୍ଦିନଙ୍କୁ ଦଳ ଟିକେଟ ନ ଦେଇ ରାଜୁଙ୍କ ଉପରେ ଭରସା କରଛି । ଏଥର ବି ଶେଖ୍ ନିଜାମୁଦ୍ଦିନ ଟିକେଟ ପାଇଁ ଆଶାୟୀ ଥିଲେ। ତାଙ୍କୁ ଦଳ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ହେଲେ ଟିକେଟ ଦେଇ ନଥିଲା ବିଜେଡି । ଫଳରେ ସେ ବାଧ୍ୟ ହୋଇ ସ୍ବାଧିନ ଭାବେ ଏ ରାଜୁଙ୍କ ବିପକ୍ଷରେ ଛିଡା ହୋଇଥିଲେ । ହେଲେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ପ୍ରାର୍ଥୀପତ୍ର ଫେରାଇ ଆଣିବା ପାଇଁ କହିଥିଲେ । ଶେଷ ମୁହୁର୍ତ୍ତରେ ସେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଥିଲେ । ।
ତେବେ ବିଜେଡି ପକ୍ଷରୁ ଟିକେଟ୍ ପାଇ ପ୍ରାର୍ଥୀ ହୋଇଥିବା ଏ. ରାଜୁ ନିଜାମୁଦ୍ଦିନଙ୍କର ସହଯୋଗୀ । ଅତୀତରେ ନିର୍ବାଚନ ପ୍ରଚାର ଓ ଅନ୍ୟ ସମସ୍ତ ଦଳୀୟ କାର୍ଯ୍ୟରେ ନିଜାମୁଦ୍ଦିନଙ୍କ ସହ ଏ. ରାଜୁ ମଧ୍ୟ ମିଳିତ ଭାବରେ କରିଛନ୍ତି । ଆଉ ଏବେ ଉଭୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ ପ୍ରଚାର କରିବେ। ସେପଟେ ନିଜାମୁଦ୍ଦିନ କହିଛନ୍ତି ଯେ ଦଳରେ ମୁଁ ସବୁବେଳେ ରହିଛି।