ଭୁବନେଶ୍ୱର: ପ୍ରେମିକାର ଅଶ୍ଲିଳ ଫଟୋ ଭାଇରାଲ୍ କରି ବ୍ଲାକମେଲିଂ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ସମ୍ପୃକ୍ତ ପ୍ରେମିକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଇଟେକ୍ ପ୍ଳାଜାରେ ରହୁଥିବା ନୀତିଶ କୁମାର ସାହୁ(୩୨) । ତା’ ଠାରୁ ଏକ ମୋବାଇଲ ଫୋନ୍ ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ନୀତିଶଙ୍କ ଘର ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ତିରିଜଙ୍ଗ ଗ୍ରାମରେ । ନୀତିଶଙ୍କ ପାଖକୁ କିଛି ଦିନ ପୂର୍ବେ ଏକ ଅଜଣା ନମ୍ବରରୁ ମିସ୍ କଲ୍ ଆସିଥିଲା । ଉକ୍ତ ନମ୍ବରରେ କଲ୍ କରିବା ପରେ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ପିଙ୍କି(ଛଦ୍ମନାମ) ନାମକ ଜଣେ ଯୁବତୀ କଥା ହୋଇଥିଲେ ।
କଥା ହେବାର କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଫେବୃୟାରୀ ୨୩ ତାରିଖରେ ଯାଜପୁର ପାଖରେ ଥିବା ଏକ ଲଜରେ ଦୁହିଁଙ୍କ ମଧ୍ୟରେ ଦେଖା ହୋଇଥିଲା । ଏହାପରେ ଦୁହେଁ ସେଠାରେ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ସମୟରେ ନୀତିଶ ପିଙ୍କିଙ୍କ ନଗ୍ନ ଫଟୋ ମୋବାଇଲରେ କଏଦ୍ କରିଥିଲେ । କିଛିଦିନ ପରେ ପିଙ୍କିଙ୍କୁ ଟଙ୍କା ମାଗିଥିଲେ । ପିଙ୍କି ଟଙ୍କା ନଦେବାରୁ ତାଙ୍କ ନଗ୍ନ ଫଟୋ ଫେସବୁକ୍ ଏବଂ ହ୍ୱାଟ୍ସଆପ ଜରିଆରେ ସାଙ୍ଗସାଥୀଙ୍କୁ ଭାଇରାଲ୍ କରିଦେଇଥିଲେ । ଏହାପରେ ନୀତିଶ ପୁଣି ପିଙ୍କିଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ସମ୍ପର୍କ ନରଖିଲେ ମୁହଁରେ ଏସିଡ୍ ମାଡ଼ କରିଦେବାକୁ ଧମକ ଦେଇଥିଲା । ଶେଷରେ ଭୟଭୀତ ହୋଇ ପିଙ୍କି ଗତ ୫ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସୁନ୍ଦରପଦା ଅଞ୍ଚଳରୁ ଅଭିଯୁକ୍ତ ନୀତିଶକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି ।