କିବ୍: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଦିମିର୍ ଜେଲେନ୍ସ୍କିଙ୍କ ପତ୍ନୀ ତଥା ୟୁକ୍ରନ୍ର ପ୍ରଥମ ମହିଳା ଓଲେନା ଜେଲେନ୍ସ୍କା ରବିବାର ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ଦୁଃଖଭରା ପୋଷ୍ଟ କରି ଜଣାଇଛନ୍ତି ଯେ, ବର୍ତ୍ତମାନ ଆମ ଦେଶ ବିଶ୍ୱର ସବୁ ଦେଶ ସହ ଲଢ଼ୁଛି । ୟୁକ୍ରେନ୍ର ଅଖ୍ମତ୍ଦ୍ୟୁତ୍ ନାସନାଲ୍ ଚିଲ୍ଡ୍ରେନ୍ ସ୍ପେଶାଲାଇଜ୍ଡ ହସ୍ପିଟାଲ୍ରେ ଆହତ ଯୁବକ ଏବଂ ଶିଶୁମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ସ୍ୱାସ୍ଥାବସ୍ଥା ଦେଖି ହୃଦୟରେ ଶାନ୍ତି ବଜାୟ ରଖିବା ପ୍ରାୟତଃ ଅସମ୍ଭବ । ବର୍ତ୍ତମାନ ବିଶ୍ୱ ସମୁଦାୟଙ୍କ ଠାରୁ ମାନବୀୟ ସହାୟତା ପାଇଁ ପ୍ରସ୍ତାବ ଦିଆଯାଉଥିବା ବେଳେ ପୋଲାଣ୍ଡ, ତୁର୍କୀ, ଫ୍ରାନ୍ସ ଆଦି ଦେଶର ପ୍ରଥମ ମହିଳାମାନଙ୍କ ଠାରୁ ମୋତେ ସହଯୋଗ ମିଳୁଛି । ପ୍ରଥମ ପର୍ଯ୍ୟାୟରେ ଛୋଟ ଛୋଟ ଶିଶୁମାନଙ୍କୁ ଏବେ ଫ୍ରାନ୍ସ ଏବଂ ପୋଲାଣ୍ଡ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଯୁବଗୋଷ୍ଠୀଙ୍କୁ ଏହି ଦୁଇ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ପଠାଇବା ଆରମ୍ଭ କରି ଦେଇଛୁ ।
ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଆମ ଦେଶର ପିଲାଙ୍କ ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ଦିଗରେ ବିଚାର କରାଯାଉଛି; କିନ୍ତୁ ବର୍ତ୍ତମାନ ସ୍ଥିତିରେ ତାହା ସମ୍ଭବ ହୋଇପାରୁନାହିଁ । ଆଗାମୀ ସ୍ଥିତି ଦେଖି ସେସବୁର ବ୍ୟବସ୍ଥା କରାଯିବ । ଏବେ ମୋତେ ଫ୍ରାନ୍ସର ପ୍ରଥମ ମହିଳା (ରାଷ୍ଟ୍ରପତିଙ୍କ ପତ୍ନୀ) ବ୍ରିଜେଟ୍ ମାକ୍ରନ୍, ଲିଥୁଆନିଆର ପ୍ରଥମ ମହିଳା ଡାଏନା ନାଉସେଡ୍ନେ, ପୋଲାଣ୍ଡ୍ର ପ୍ରଥମ ମହିଳା ଅଗଥା ଡୁଡା, ତୁର୍କୀର ପ୍ରଥମ ମହିଳା ଏମିନା ଏର୍ଦୋଗନ୍ଙ୍କ ଠାରୁ ସହଯୋଗ ମିଳୁଛି ।