26.1 C
Bhubaneswar
Thursday, December 12, 2024
Homeଓଡିଶାବିଜେପିରୁ ଇସ୍ତଫାର ସୁଅ ଛୁଟିଛି : ଏଯାବତ୍ ୪ ଜଣ ଛାଡ଼ିଲେ ଦଳ

ବିଜେପିରୁ ଇସ୍ତଫାର ସୁଅ ଛୁଟିଛି : ଏଯାବତ୍ ୪ ଜଣ ଛାଡ଼ିଲେ ଦଳ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ଯେତେ ପାଖେଇ ଆସୁଛି, ବ୍ରହ୍ମପୁର ସହର ରାଜନୀତି ସେତିକି ଉଷ୍ମ ହେଉଛି । ସାଧାରଣତଃ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳରୁ  ଅସନ୍ତୁଷ୍ଟ ନେତାମାନେ ନିଜ ଦଳ ତ୍ୟାଗ କରି ଅନ୍ୟ ଦଳରେ ଯୋଗଦେବା ସ୍ୱାଭାବିକ ଘଟଣା । ବ୍ରହ୍ମପୁର ସହରରେ ପ୍ରମୁଖ ବିରୋଧି ଦଳ ଭାବେ ବିବେଚିତ ବିଜେପିରୁ ଇସ୍ତଫାର ସୁଅ ଛୁଟିଛି । ଗତ କିଛି ଦିନ ମଧ୍ୟରେ ଏଯାବତ୍ ୪ ଜଣ ଦଳ ଛାଡ଼ିଲେଣି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ ନେତା ରହିଛନ୍ତି । ବିଡ଼ମ୍ବନାର ବିଷୟ ଦଳ ଛାଡ଼ିଥିବା ମହିଳାଙ୍କ ମଧ୍ୟରେ ଜଣେ ପୂର୍ବତନ କର୍ପୋରେଟର ନମିତାରାଣୀ ପଣ୍ଡା ରହିଛନ୍ତି ।

ଶ୍ରୀମତୀ ପଣ୍ଡା ଗତ କାଉନସିଲ୍‌ରେ ୱାର୍ଡ ନଂ ୨୫ର କର୍ପୋରେଟର ରହିଥିଲେ । ସେ ଜଣେ ଟାଣୁଆ ମହିଳା ନେତ୍ରୀ ଭାବେ ପରିଚିତ । ଏଭଳି ଜଣେ ନାରୀ ନେତ୍ରୀ ଆଜି ଦଳ ଛାଡିବା ନେଇ ଲିଖିତ ଭାବେ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି ।  ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ସମର୍ପି ଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ସେ ଗତ ୨୦୧୫ରେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟ ହାସଲ କରିଥିଲେ । କିନ୍ତୁ ରାଜ୍ୟ ଓ ଜିଲ୍ଳା ବିଜେପିର ନେତୃବୃନ୍ଦଙ୍କ ପକ୍ଷପାତିତା ଏବଂ ଅଭିସନ୍ଧିମୂଳକ କାର୍ଯ୍ୟକଳାପ ଯୋଗୁଁ ସେ ଦଳରେ କାର୍ଯ୍ୟ କରିବା ପାଇଁ ବାଧା ଉପୁଜୁଛି ତେଣୁ ସେ ଦଳର ସାଧାରଣ ସଭ୍ୟ ପଦରୁ ଇସ୍ତଫା ଦେଉଛି ।

ସୂଚନାଯୋଗ୍ୟ ଯେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପ୍ରସ୍ତୁତ ହୋଇଥିବା ଯୁବ ମୋର୍ଚ୍ଚା ନେତା ମଧୁସୂଦନ ସାହୁ ଅଳ୍ପ କିଛି ଦିନ ପୂର୍ବେ ଇସ୍ତଫା ଦେଇଥିଲେ । ତା’ ପୂର୍ବରୁ ଦଳର ବରିଷ୍ଠ ନେତ୍ରୀ ସୁବାଷିନୀ ପଟ୍ଟନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ତା ପୂର୍ବରୁ ଆଉ ଜଣେ ନେତା ମଧୁସୂଦନ ସାହୁ ନାମକ ନେତା ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ।  ନିର୍ବାଚନ ହେବାକୁ ଦିନ କେଇଟା ବାକି ରହିଥିବା ବେଳେ ଏଭଳି ଲଗାତାର ଭାବେ ଦଳ ଛାଡ଼ିବା ଘଟଣା ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଆଗାମୀ ଦିନରେ ମହିଳା ପ୍ର୍ରାର୍ଥୀଙ୍କ ଗୁରୁତ୍ୱ ରହିଥିବା ବେଳେ ମହିଳାମାନେ ଦଳ ଛାଡିବା କାରଣ ନେଇ ଆତ୍ମ ସମୀକ୍ଷା କରିବାର ବେଳ ଆସିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୂର୍ବେ ପ୍ରକାଶ ପାଇଥିବା ରାଜ୍ୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ବିଜେପି ରାଜ୍ୟ ନେତୃବୃନ୍ଦ ନିଜ ତୃଟି ସୁଧାରିବା ନେଇ ପ୍ରକାଶ କରିଛନ୍ତି । କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲା ଗଞ୍ଜାମରେ ଏଭଳି ଦୁଃସ୍ଥିତିରେ ସୁଧାର ଆସିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଦଳୀୟ ସଂଗଠନରେ କିଛି ଫାଟ ଥିବା ନେଇ ହେଉଥିବା ଆଲୋଚନାକୁ ଇସ୍ତଫା ଘଟଣା ଗୁଡିକ ଆଉ ଟିକିଏ ଖୋରାକ ଯୋଗାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking